Unknown

 

 

 

 

 

 

 

 

 

 

 

ଫେରିବା କଥା

ଈପ୍‌ସିତା ଷଡ଼ଙ୍ଗୀ

 

ପ୍ରାଗଭାଷ

 

ପ୍ରତ୍ୟେକ ବର୍ଷ ରାଜ୍ୟ ଯୁବ କଲ୍ୟାଣ ପରିଷଦଙ୍କ ଉଦ୍ୟମରେ ଆମ ରାଜ୍ୟର ନବୀନ ପ୍ରତିଭାଦୀପ୍ତ ଯୁବ ସାରସ୍ଵତ ସାଧକମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଯୁବ ଉତ୍ସବ ପାଳନ ଅବସରରେ ଯୁବସମ୍ମାନ ପୁରସ୍କାରରେ ସମ୍ମାନିତ କରାଯାଇଥାଏ । ସୃଜନଶୀଳ ସାହିତ୍ୟ ସୃଷ୍ଟି ପାଇଁ କଥାସାହିତ୍ୟ ଓ କବିତା କ୍ଷେତ୍ରରେ ଉଜ୍ଜଳ ସ୍ଵାକ୍ଷର ଓ ସମ୍ବାବନା ବହନ କରିଥିବା ଦୁଇଜଣ ନୂତନ ପୀଢ଼ିର ଯୁବ ସାହିତ୍ୟିକ ଶ୍ରୀ ଦେବାଶିଷ ପାତ୍ର ଓ ଈପ୍‌ସିତା ଷଡ଼ଙ୍ଗୀ ଚଳିତ ବର୍ଷର ଯୁବ ସମ୍ମାନ ଲାଭ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ପୁରସ୍କାର ଲବ୍‌ଧ ଉକ୍ତ ସମ୍ମାନ ଲାଭ କରିଥବା ସାହିତ୍ୟିକଙ୍କ ପାଣ୍ଡୁଲିପି ଏକାଡ଼େମୀ ଦ୍ଵାରା ପ୍ରକାଶ କରାଯିବା ବିଧି ରହିଅଛି । ସେହି କ୍ରମରେ ଏକାଡେମୀ କବୟତ୍ରୀ ଈପ୍‌ସିତା ଷଡ଼ଙ୍ଗୀଙ୍କ ୪୭ଗୋଟି କବିତାକୁ ସନ୍ନିବେଶିତ କରି ‘‘ଫେରିବା କଥା’’ କବିତା ସଂକଳନଟିର ପ୍ରକାଶନ କରିବାକୁ ଯାଉଅଛି ।

 

ସାଂପ୍ରତିକ ଓଡ଼ିଆ କବିତା ରଚନାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କବୟତ୍ରୀ ଈପ୍‌ସିତା ଷଡ଼ଙ୍ଗୀ ଜଣେ ଅତ୍ୟନ୍ତ ପ୍ରତିଭା ସଂପନ୍ନ ସାରସ୍ଵତ ସାଧିକା ଓ ସୁଲେଖିକା ତରୁଣ ବୟସରେ ସେ ଓଡ଼ିଆ କାବ୍ୟ ସାହିତ୍ୟକୁ ‘‘ଫେରିବା କଥା’’ ଭଳି ଏକ ମନୋଜ୍ଞ ରୁଚିପୂର୍ଣ୍ଣ କବିତା ସଂକଳନ ଭେଟିଦେଇ ଆମ କାବ୍ୟଭଣ୍ଡାରର ପ୍ରଭୂତ ସମୃଦ୍ଧି କରିଛନ୍ତି । ତାଙ୍କର କାବ୍ୟ ଜୀବନର ସୁଦୀର୍ଘ ଉଜ୍ଜ୍ଵଳ ଭବିଷ୍ୟତ ଓ ନିରାମୟସୃଷ୍ଟି ଓଡ଼ିଆ କାବ୍ୟଧାରାକୁ ପ୍ଲାବିତ କରୁ ଏକାଡେମୀ ପକ୍ଷରୁ ଏହାହିଁ କାମନା ।

 

ରାଜ୍ୟ ଯୁବ କଲ୍ୟାଣ ପରିଷଦ ଏହିଭଳି ଏକ ଦୀପ୍ତିମନ୍ତ ଯୁବପ୍ରତିଭା ସୁଲେଖିକାଙ୍କୁ ଯୁବ ସମ୍ମାନରେ ସମ୍ମାନିତ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିଛନ୍ତି ଏଥିପାଇଁ କର୍ତ୍ତୃପକ୍ଷ ଆମ ସମସ୍ତଙ୍କର ଆଦରଣୀୟ ଓ ଧନ୍ୟର୍ବାଦାହ ।

 

ଓଡ଼ିଶା ସାହିତ୍ୟ ଏକଡେମୀଦ୍ୱାରା ପ୍ରକାଶିତ ଏହି ତରୁଣ ସାରସ୍ଵତ ସାଧିକାଙ୍କ ମନୋଜ୍ଞ କବିତା ସଂକଳନ ‘‘ଫେରିବା କଥା’’ ସୁଧୀ ପାଠକ ପାଠିକାମାନଙ୍କଦ୍ଵାରା ବେଶ୍‌ ଆଦୃତ ହେବ । ସଂକଳନଟିର ବହୁଳ ପ୍ରସାର ଓ ପ୍ରଚାର ସାଙ୍ଗକୁ ଲେଖିକାଙ୍କ କଲମ । ଆଗାମୀ ଦିନମାନଙ୍କରେ ଆହୁରି ପ୍ରାଣବନ୍ତ ସୃଷ୍ଟି ସର୍ଜ୍ଜନାରେ ସମର୍ଥ ହେବ ଏହାହିଁ ଆଶା ।

 

ସଂପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

ସୂଚୀପତ୍ର

 

୧.

ଫେରିବା କଥା

୨.

ତିନିଟା ଗାର

୩.

ଚିହ୍ନା ମୁହଁ

୪.

ସେଇ କାଳରୁ

୫.

ପ୍ରସ୍ତୁତି ଦରକାର

୬.

ଖୋଜିବାରେ

୭.

ମୋ କବିତା

୮.

କିଏ ବୁଝିବ

୯.

ସ୍ମୃତି : ବିସ୍ମୃତି

୧୦.

ପାଣିଧାର

୧୧.

ଅଘଟଣ (୧)

୧୨.

ଅଘଟଣ (୨)

୧୩.

ଆଖି ଆଗରେ

୧୪.

ବଳକା

୧୫.

ଆକାଂକ୍ଷା

୧୬.

ସଂପର୍କ (୧)

୧୭.

ସଂପର୍କ (୨)

୧୮.

ଗ୍ରହଣ

୧୯.

ତା'ର ଆସିବା

୨୦.

ଶରଶଯ୍ୟା

୨୧.

ବିଶ୍ଵାସ

୨୨.

ସେ ସେମିତି ଚାଲୁଥିବ

୨୩.

ଜୀବନ ବୋଲି ତ

୨୪.

ଏକା ତୁ ହିଁ ଜାଣୁ

୨୫.

ଝଡ଼ ପରବର୍ତ୍ତୀ କଥା

୨୬.

କୋଠରୀ

୨୭.

ହାତଗଢ଼ା ଖେଳ

୨୮.

ବରଂ ଦୂରେଇଯିବା ଭଲ

୨୯.

ନିଜ ଭିତରେ

୩୦.

ପୁଣିଥରେ ଆରମ୍ଭରୁ

୩୧.

ଏବେ ବୋଧହୁଏ

୩୨.

ସବୁ ସମ୍ଭବ

୩୩.

ଶେଷ ସବୁ ନାହିଁର

୩୪.

ଆଗେଇବାକୁ ପଡ଼ିବ

୩୫.

ଅତିକ୍ରମଣ

୩୬.

ମାଗିନେବା ପରେ

୩୭.

ସବୁରି ଉତ୍ତର ପାଇଁ

୩୮.

କଥା ରହିଯିବ

୩୯.

ବଦଳିଯିବା

୪୦.

ମିଛସତ

୪୧.

ବୁଦ୍ଧ (୧)

୪୨.

ବୁଦ୍ଧ (୨)

୪୩.

ବୁଦ୍ଧ (୩)

୪୪.

ବୁଦ୍ଧ (୪)

୪୫.

ବୁଦ୍ଧ (୫)

୪୬.

ବୁଦ୍ଧ (୬)

୪୭.

ବୁଦ୍ଧ (୭)

Image

 

 

 

 

 

 

 

 

 

 

ଉତ୍ସର୍ଗ

 

ଆଗାମୀ ପୀଢ଼ିର ସାରସ୍ଵତ ସାଧକମାନଙ୍କ କର କମଳରେ..........

 

ଲେଖିକା

Image

 

ଫେରିବା କଥା

 

ସେଦିନଟା ନଥାନ୍ତା କି ଆକାଶରେ

ଝଟକୁଥାନ୍ତ ସେମିତି

ଯାଇଥିଲି ଯେମିତି

ଯୋଉ ରାସ୍ତାରେ–

ହାତୀ ଘୋଡ଼ା କି ପାଲିଙ୍କିରେ

ଫେରିଥାନ୍ତି ହେଲେ ସେମିତି !

 

ଏବେ ବିଦେହୀ ପବନ

ସବୁରି ଖିଅକୁ ଅଧାରଖି

ଯାଇଛି ଯେ ଯାଇଛି

ଆସିଲାବେଳକୁ ତରତର

ଆଞ୍ଜୁଳାଏ ଅପବାଦକୁ

ଏପଟ ସେପଟ କରିବା ପାଇଁ

ଏ ମୁଣ୍ଡରୁ ସେ ମୁଣ୍ଡ ।

 

ଯାଇଛି ଯେତେବେଳେ

ଏଥର କାମ ଲେଉଟିବାର

କେଜାଣି ଉଡ଼େଇ ଆଣିବ କି ନାଇଁ

ସାଥିରେ

ହାତୀ ଘୋଡ଼ା ପାଟ ପାଲିଙ୍କି !

 

ଉହ୍ମେଇ ରେ ଏବେ

ନିଆଁ ଧରେଇବାର ଅଛି

ଗଛକୁ ସଳଖ କରି

ଠିଆ କରେଇବାର ଅଛି

ଆଉ ଅଛି ମୁହଁରେ ମାଖିବାକୁ

ଭଳି ଭଳି ରଙ୍ଗ ।

 

ଝଟକିବା କଥା ଛାଡ଼ ଆକାଶରେ

କିଛି ନ ହେଲେ ବି

ପବନର ସିଡ଼ିରେ

ଫେରିବାଟା ହିଁ ସାର ହେବାର ଅଛି ॥

Image

 

ତିନିଟା ଗାର

 

ଅଭିମାନ ସବୁ ଏମିତି ଭାଙ୍ଗେ

ଆସ୍ଫାଳନ ଭଳି

ଯେମିତି ଗଢ଼ିହୋଇନଥିଲା କେବେ ବି ।

 

ଭୁଲି ହେଇଯିବାଟା ଗୋଟେ ଆଶୀର୍ବାଦ

ଭୁଲିବା ଭିତରେ ସଂସ୍କୃତର ଶ୍ଲୋକ

ଗଣିତର ସୂତ୍ର ଠୁଁ ଆରମ୍ଭ କରି

ଜୀଇବା ମରିବାର ଇତିହାସ ଯଦି ସାମିଲ

ମନେ ରଖିବା ପାଇଁ

ଦରକାର ନାହିଁ କି

ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ

ବଳଦ ପରି ଘୋଷା

ହାତୀ ବା’ ପାଣି ଖାଇ ଝୁଲିବା ପରି

ଝୁଲି ଝୁଲି ମୁଖସ୍ଥ କରିବା ?

 

ସବୁ ଲିଭିଯିବ ମନରୁ

ଆଂଚୁଡ଼ା ଦାଗଠୁ ଭଲପାଇବା ଯାଏଁ

ଜାଣି ସାରିବା ପରେ ବି

ମନରେ ରହିଯାଏ ଅଭିମାନ

ଆଉ ପିଠି ଉପରେ ତିନିଟା ଗାର ।

 

ସବୁକୁ ଏଡ଼େଇ ଦେଇ ଆସିବାକୁ ଇଚ୍ଛା

ଏଠି ତ ମହାକାବ୍ୟ ଲେଖାହେଉନି ଯେ

ବାରଂବାର ଲେଖୁଥିବ, ମନେ ରଖୁଥିବ

କହିସାରିଥିବା ପଂକ୍ତିମାନଙ୍କୁ

ସବୁ ଭୁଲି ହେଇଯିବା

ନିହାତି ଦରକାର

ଅଧ ଅଧ ବର୍ଷର

ପୁରୁଷ ଓ ନାରୀର ଜୀବନ

ଯେମିତି

ପିଠି ଉପରେ ତିନିତିନିଟା ଗାର ବୋହିବା

ଯନ୍ତ୍ରଣାନାୟକ ନୁହେଁ କି !

Image

 

ଚିହ୍ନା ମୁହଁ

 

ଏଇ ବୁଲିବା ବସିବା

ଚାଲିଲା, ବଞ୍ଚିଲା ବେଳେ

ନିଃଶ୍ୱାସ ନେବା

ସତରେ ଗୋଟେ ବଡ଼ କାମ

ଏତେ ବଡ଼ ଯେ

ଆଉ ବାଟ ଛାଡ଼େନି କୋଉ ଜଂଜାଳକୁ ।

 

ଆଜି ପୃଥୁବୀ ଛୋଟ ପଡ଼ିଲାଣି

ଆକାଶକୁ ବାଡ଼ି ବଢ଼େଇଲେ

କାଣି ଆଙ୍ଗୁଠିରେ ପାହାଡ଼ ଅଟକିଲା ପରି

ଅଟକି ଯିବ

ପଥର ତା' ଟାଣ ପଣ

ଭୁଲିଆସିଲାଣି ଦଶନ୍ଧି ଆଗରୁ

ୟା ଭିତରେ

କି ଜଞ୍ଜାଳ ବାକି ରହିଯାଏ ଯେ

ଚିନ୍ତା କରିବ

ପାଣି ଯରି ସୂତ୍ର ଖୋଜିବ

ସକାଳୁ ସକାଳୁ

ଏବେ ଏତିକି ଚିନ୍ତା କରିବାକୁ ହେବ

କେତେଦିନ ଧାର ଉଧାରରେ

ବଞ୍ଚିହବ

ପବନର,

ଅଂଧାର ଡ଼େଇଁ କେବେ

ପହଞ୍ଚି ହବ

ଯେଉଁଠି ଥିବ ଖାଲି ଚିହ୍ନା ମୁହଁ

ଆଶା କରିବନି ବୋଲି

ଗୋଟିକ ପରେ ଗୋଟେ ଇଚ୍ଛା

ଚାଲି ଆସୁଛି ଯେତେବେଳେ

ଏ କିଛି ନୂଆ ନୁହେଁ

ବିନା କାମ, ଜଞ୍ଜାଳ, ସୂତ୍ର

ବିନା ପବନ

ବିନା ଚିହ୍ନା ମୁହଁରେ

ଗୋଟିଏ ଜୀବନ ॥

Image

 

ସେଇ କାଳରୁ

 

ପିଠି ପତେଇ ଦେଇଛି

ପତର ପରି

ଏବଂ ପଥର ପରି ବି

ତେଣିକି କ’ଣ ଆସିବା ନ ଆସିବାଟା

ଦୋସରା କଥା ।

 

ଅସହାୟତାକୁ ନେଇ

କାନ୍ଦିଦେଲେ ଗଲା

ମତେ କି ଜଣା

ମାରପେଂଚ କଥା

କହିବି କହିବି ବୋଲି ତ

ଅଟକି ଯାଇଛି ସେଇଠି

ସେଇ କୋଉ ତ୍ରେତୟା ଯୁଗରୁ

ଦୋହରା ଜୀବନ

ବଂଚି ଆସୁଛି ସେଇ କାଳରୁ

ମୁକ୍ତି ନାହିଁ ନାହିଁ ବୋଲି

ଶୁଣି ଆସିଲିଣି ବାର ବାର

ପାଦରେ ଯୋତାର ଅଭାବ

ରାଜା ପାର୍ଟଟା

ନଷ୍ଟ ହୋଇଯାଇଛି ସିନା

ଖାଲି ଆଜି କି କାଲି ନୁହେଁ-

ଏମିତି ନଷ୍ଟ କରିଚାଲିଲିଣି

ଗୋଟା ଗୋଟା ଜନ୍ମ

ଛୁଞ୍ଚିମାଛି ପରଖରୁ

କୋଉଠି କ'ଣ ଗୋଟେ

ଖଟ୍‌କା ରହିଯାଇଛି କେଜାଣି

ମୂଳରୁ !

Image

 

ପ୍ରସ୍ତୁତି ଦରକାର

 

କିଛି ଇଚ୍ଛା ଦରକାର

କେତେବେଳେ ଆମ୍ବବଉଳକୁ

କେତେବେଳେ ଦୁଃଖକୁ,

ମରଣକୁ, ମୋକ୍ଷକୁ,

ତ କେତେବେଳେ ଅପେକ୍ଷାକୁ

ବିନା କାମନାରେ

କିଏ ବଂଚିଲାଣି କେବେ ?

 

ଯେତେ ସର୍ତ୍ତ ରଖିଲେ ବି

ଆଡ଼େଇ ଦେଇ ହେଲାଣି କେବେ କେଉଁଠି

ଲେଉଟା, ଅଣଲେଉଟା ସ୍ୱପ୍ନମାନଙ୍କୁ

କିଏ ଶୁଣଉଥିବ

ବୁଢ଼ୀ ଅସୁରୁଣୀ, ଚୁଲୀ, ରାଜକୁମାରର ଗପକୁ

କାଲି ଯେ ପର୍ଯ୍ୟନ୍ତ ନ ଆସିଛି

କାଲି ବୋଲି କହି

ଘଉଡ଼େଇ ଦେବି କେମିତି ?

 

ପୁଣି ପ୍ରସ୍ତୁତି ତ ଦରକାର

ରୋଷଣୀ ନ ହେଲା ନାଇଁ

ଦୁବ ବରକୋଳି ପତ୍ର ଆଉ

ମାଳ ମାଳ କୁଲା ତ

ସଜେଇ ପାରିବି ବାଟରେ

କାଲିର ।

 

ଯାହା ହେଲେବି

ଇଚ୍ଛାଟିଏ ଅଛି ।

 

ବିନା କିଛିରେ

କୋଉଠି ଜୀଇଁ ହେଲାଣି

ଗୋଟିଏ ଶୁକ୍ଲପକ୍ଷ କି

କୃଷ୍ଣପକ୍ଷ ରାତି !

Image

 

ଖୋଜିବାରେ

 

ଯା’କୁ ନାଇଁ ତା'କୁ ନେଇଆସ

ଦେଇଦେବି ମୁଁ

ମୋ ‘କା’

ଦେଖିବ ତା ପରଠୁ ସେ

ହସିବ ମୋ ହସ

କାନ୍ଦିବ ମୋ’ରି ଅକୁହା ଅଭିମାନର ଲୁହ

ବଂଚିଯିବାରେ ଲାଗିଯିବ ମୋଅରି ଜୀବନ

ଯେତିକି ସରଳ ଅନୁଭବ କରିଛି

ଯେତିକି ସହଜ ଭାବେ

ସକାଳ ସଂଧ୍ୟା ହେଇଯାଇଛି ।

 

ସେତିକି ସହଜରେ ଉପୁଡ଼ି ଯାଉଛି ଚେର

ପକ୍ଷୀର ପାଉଁଶ ଗଦାରୁ

ଛୋଟିଆ ଜୀବନଟେ ପରି

ମୁଁ ପୁଣି ଉଠି ଆସି ବଂଚିଛି

ବଂଚିବା, ମରିବା ଆଉ

‘କା’ ପାଇଁ

ଫମ୍ପା ଦେହଟେ ଖୋଜିବାରେ ସନ ନାଇଁ

ପକ୍ଷୀକୁ ଡ଼ାକିଛି

ଖୋଜିଛି, ଜହ୍ନକିରଣରେ

ଫୁଲରେ ଲଦେଇ କୁସୁମ ଗଛକୁ

ସେମାନଙ୍କ ଭର୍ତ୍ସନା ଶୁଣିଛି

ଛୋଟ ହୋଇ ଶିହରି ଯାଇଛି

ପାଖରେ ଛୋଟ ଛୋଟ ଗାର ଟାଣି

ବଡ଼ ହେବାର ଛଳନା କରିଛି

ଏ ଯାଏଁ ତଥାପି

ମୋ ଖୋଜିବାରେ ସନ ନାହିଁ

ମୋ ବଂଚିବା ମରିବାରେ ବି ॥

Image

 

ମୋ କବିତା

 

ଦୁଇ ଆଂଜୁଳି ଅଜାଡ଼ି

କିଛି ଦେଇନି ବୋଲି

ଦୁଇ ପାପୁଲି ଟେକି

କିଛି ମାଗିନି ବୋଲି

ନିଜ ପାଇଁ ନିଜ ପୃଥିବୀ

ସଜାଡ଼େ ମୁଁ

ମତେ ଯେ

ଜଣା ନାହିଁ

ବାୟାଚଂଚୁର କାରୁକାର୍ଯ୍ୟ

ମତେ ଯେ ଜଣା ନାହିଁ

ଚଢ଼େଇ ଭାଷାର

ସକଳ ସଂଗୀତ

କେଉଁଠି ଅଛି କଅଁଳ ଶବ୍ଦ

ମୋ ମନପସନ୍ଦର ?

କିଛି ଘଟଣା ନଥାଏ ଯେମିତି ।

 

କୁଆଟିଏ ମରିପଡ଼ିଲେ

ବେଢ଼ିଯାଆନ୍ତି ସହୋଦର

ମୋ ଥରକ ମୃତ୍ୟୁରେ

ଯେମିତି

ଲେଉଟି ଆସି ଶବ୍ଦ ସବୁ, ମୋ କବିତାର

କ'ଣ ଘଟିଥାଏ କି ନଥାଏ

ବଚସାରୁ, ସେମାନଙ୍କ ବିରୋଧାଭାସରୁ

ଗପଟିଏ ଖିଅ ଖିଅ ହେଇ

ଏରୁଣ୍ଡି ବନ୍ଧରୁ ଘରର ମଥାନ ଛୁଉଁଥାଏ

ବାସ୍‌

ମୋ ପୃଥିବୀ ପରି

ସେଉଠୁ ଆରମ୍ଭ ହେଇ .

ସେଇଠି ସରୁଥାଏ

ମୋ ପାଇଁ

ଲେଖିହେଇଯାଉଥିବା କବିତା ॥

Image

 

କିଏ ବୁଝିବ

 

କନ୍ନଗୀର କଙ୍କଣରେ

ହୀରା କି ମୁକ୍ତା

କହିପାରିବ କିଏ

ପବିତ୍ରତାର ମନ୍ତ୍ର ଭିତରେ

ପ୍ରଶାନ୍ତିର ପ୍ରତିଶ୍ରୁତି

ଦେଇପାରିବ କିଏ ?

ଅନ୍ଧରାଜାର ଶାସନ ତଳେ

ନିଷ୍ପେସିତ ସମୟକୁ

ନ୍ୟାୟ

କିଏ ବା ଦେଇ ପାରିବ ?

 

କଣ୍ଢେଇ ?

ନିଛାଟିଆ ଖରାବେଳଟାରେ

ମରୁଭୂମିର ମରୀଚିକା

ବାଟୋଇର

ଶୋଷ ମେଣ୍ଟିବାର

ଭ୍ରମ ସୃଷ୍ଟି କରିପାରେ ସିନା ।

 

ହାତପାଦ ବିହୀନ

ମୁର୍ଦ୍ଦାରଟିର

କେତେ ବା ଶକ୍ତି,

କାହାର ଜୁ କଳିବାକୁ ।

 

ଯେ ଯାହାର ସୀମା ଭିତରେ

ଆବଦ୍ଧ ଯାହା

ଯିଏ ଯାହାର କର୍ମକ୍ଷେତ୍ରକୁ

ବାହୁଡ଼ି ଗଲେଣି

ଚଢ଼େଇମାନେ ତାଙ୍କ ବସାକୁ

ଶର; ତାର ତୁଣୀର କୁ

ସମୟ; ତାର ଗନ୍ତବ୍ୟସ୍ଥଳକୁ

ତୁ ବି ତୋ ଜାଗାକୁ

ଚାଲିଯା’

ସମାଧିସ୍ଥ ହୋଇଯା’ ସେଇଠିତ ।

 

ଏଠି ତୋର ଦରକାରୀ ପଣିଆ

କିଏ ବୁଝିବ ଯେ ?

Image

 

ସ୍ମୃତି : ବିସ୍ମୃତି

 

ସ୍ମୃତି ଠାରୁ ବିସ୍ମୃତି ଭଲ

କେହି ତ ନଥିବେ କବାଟ ବାଡ଼େଇବାକୁ

କି ଅଜଣା ଅପହଞ୍ଚ ରାସ୍ତା ନ ଥିବ

ଅତିକ୍ରମ କରିବାକୁ ।

 

ନିର୍ଲିପ୍ତ ହୋଇଯିବା ଭଲ

ମନ ସ୍ମୃତିବିହୀନ ଆକାଶଟେ ପରି

ହୋଇଯିବ

ସୂର୍ଯ୍ୟ, ଚନ୍ଦ୍ର, ତାରା କି ଧୂମକେତୁ ନ

ଥିବେ

ଦିନ କି ରାତି ବି ନଥିବ ।

 

କେବଳ ମାଛଟିଏ ଥିବ

ସନ୍ତକଟିକୁ ଗିଳିଦେବାକୁ

ଆଉ କେଉଁ ଇଲାକାକୁ

ବାଟ କଢ଼େଇନେବା ପାଇଁ ଯାହା ।

 

ବୁଢ଼ା ରାଜା ପରି

ଥୁଣ୍ଟା ସିଂହାସନରେ ବସି

ସ୍ମୃତିଚାରଣ କରିବା ଅପେକ୍ଷା

ସେଗୁଡ଼ିକ ବିଚ୍ଛୁରିତ ହୋଇଯିବା ବରଂ

ଭଲ

ଗୋଟେଇକି ଏକାଠି କରିବାର

ଅଭିଳାଷ ନ ଥିବ

ସାମ୍ନାରେ ।

 

ସ୍ମୃତିମାନେ ବିସ୍ମୃତିର ପୋଷାକ ବିନ୍ଧି

ନାଟକ ଆରମ୍ଭ କରିଦିଅନ୍ତେ କି

କବାଟ ବାଡ଼େଇ ବାଡ଼େଇ

ନିସ୍ତେଜ ହୋଇଯା'ନ୍ତା ହାତ

ରାସ୍ତାସବୁ ସରିଯାଆନ୍ତେ

ବୟସ ଆହୁରି ବୃଦ୍ଧ ହୁଅନ୍ତା

ଓ ଅଙ୍ଗପ୍ରତ୍ୟଙ୍ଗ ଆହୁରି ବିଦ୍ରୋହୀ ।

 

ଭଲ ହୁଅନ୍ତା

ଜୀବନଟା ଏମିତି

ଆରମ୍ଭ ହୁଅନ୍ତା ନୂଆ କରି ॥

Image

 

ପାଣିଧାର

 

ଖାଲି ଗୋଟେ ଖୁସି ପାଇଁ ରୋଷଣୀ ଜଳେଇବ

ନା ଭୁଲର ପ୍ରାୟଶ୍ଚିତ ପାଇଁ ଶୋକ ପ୍ରସ୍ତାବ ଆଣିବ

କିମ୍ବା ନିଜ ଅଭିମାନକୁ ଡଙ୍ଗା କରି ଲୁହରେ ଭସେଇଦବ

ଏମିତି କିଛି କରିବା ନ କରିବାର ଦ୍ଵନ୍ଦ ଭିତରେ

ଦୋଳି ଖେଳିବାର ସମୟ ବୋଧେ ଆଉ ନାହିଁ

ନାଉରୀଆ ମଙ୍ଗ ମୋଡ଼ି ଡ଼ାକ ପାରିଲାଣି

ଏପଟ କୂଳରେ ବସି ଆଉ ଶବ୍ଦ ସଜାଡ଼ିବାରେ

ସମୟ ବି ନାହିଁ

ଯାହା ବା କିଛି ସଜେଇଥିଲ, ତାକୁ ପୁଣି ଅସଜଡ଼ା କରି

ସେଇ କୂଳରେ ଅଦରକାରୀ ଚିଠି ପରି

ଫୋପାଡ଼ି ଦେଇ ଆସିବା ଭଲ ।

 

ଥରେ ଏପଟକୁ ଆସିଗଲେ

ଆଉ ଅଭିମାନ ନ ଥବ ।

ଆଜିକାଲି ତାକୁ

ଏତେ ସମୟ କିଏ ପାଖରେ ରଖୁଛି ଯେ ?

 

ଅଶାନ୍ତ ସମୁଦ୍ରରେ ହଠାତ୍‌ ଜୁଆର ଆସିବା

ବନ୍ଦ ହୋଇଗଲେ

ଅଭିମାନ ସବୁ ଧୋଇ ହୋଇଯାଏ

ଅପ୍ରତ୍ୟାଶିତ କ୍ଷମା ମିଳିଯାଏ

କାହା ଆଖି ଧାରରୁ ।

 

ଜିତିଯିବାର ଗ୍ଲାନି ନୁହେଁ

ହାରିଯିବାର ଆନନ୍ଦରେ ହିଁ ବୋଧହୁଏ ସବୁ ସମ୍ଭବ

ଡଙ୍ଗାରେ ବସି କେବଳ ନାଉରିଆର ସ୍ଵରରେ

ସ୍ଵର ଖୋଜିନେଲେ

ଶବ୍ଦ ସଜାଡ଼ି ନେଲେ

କ୍ଷମା ମାଗିନେଲେ ହିଁ

ପୃଥିବୀ ବଦଳିଯିବ

ଖୋଲିଯିବ ଗୁମ୍ଫାର ଦ୍ୱାର

ବିନା ରୋଷଣୀରେ ହିଁ ଉତ୍ସବ ମୁଖର ହେବ ପରିସର

ପ୍ରାୟଶ୍ଚିତ ମିଳିଯିବ ସବୁ ଭୁଲର

ଏବଂ ଅଭିମାନକୁ ତା’ର ଆବଶ୍ୟକୀୟ କୂଳ ।

 

ହେଲେ ଏ ସବୁଥିପାଇଁ ଦରକାର

ଡଙ୍ଗାଟିଏ, ନାଉରିଆଟିଏ

ଏବଂ ନାଉରିଆର ସ୍ଵର

ଆଉ କୂଳ ଲଂଘୁଥିବା

ଗୋଟେ ପ୍ରଖର ପାଣିଧାର ॥

Image

 

ଅଘଟଣ

(୧)

 

ଦୁଃଖ କଷ୍ଟର ଅରାଜକତାରୁ

ବାହାରି ଆସିବା ପାଇଁ

କାହାର ଭରସା ଦରକାର

ଭରସା ଦରକାର, ମରୁଭୂମିରୁ

ବାହାରିଆସିବା ପାଇଁ ପାଣି ଧାରର ।

 

କାହାର କ'ଣ ଯାଏଆସେ

କଣ୍ଟାଫୋଡ଼ି

ଦେହ ହାତରେ

ସବୁ ଦୁଃଖଙ୍କୁ ନିଜର କରିନେବାରେ ।

 

ସେ ରାଜ୍ୟରୁ ମୁକୁଳିବା

ସମ୍ଭବ ନୁହେଁ

କ୍ରୁଶବିଦ୍ଧ ଶରୀରରୁ

ମୁକ୍ତି ଭଳି

ବିଷ ଗରଳର ଜ୍ୱାଳା ମଧ୍ୟରୁ

ଜୀବନ ଭଳି ।

 

ତଥାପି

ସେଇ ବୋଧଦ୍ରୁମ

ସେଇ ବିଷର ରାଜ୍ୟ

ସେମିତି ଆଗଭଳି ଅଛି

ଖାଲି ଇତିହାସ ଯାହା

ନାଁ ଗାଁ ବଦଳେଇ ଦେଇଛି ।

 

ତେବେ କ'ଣ ଆଶା କରାଯାଇପାରେ

ସେଇ ବୋଧିଦ୍ରୁମକୁ

ସେଇ ସନ୍ନ୍ୟାସୀକୁ

ଏବଂ ସେଇ ଆଲୋକ ଶିଖାକୁ ?

 

ପରିବ୍ୟାପ୍ତ କାଳ

ନିର୍ଦ୍ଦିଷ୍ଟ ସମୟ ଖଣ୍ଡରେ ବିକ୍ଷୁବ୍ଧ

ବେଳେବେଳେ ଯାହା

ଶୋଇ ରହିଥାଏ ବୁଢ଼ା ମଶାଣି ପରି

କୋଉ ଗୋଟେ ନୂଆ ମଡ଼ାର ପ୍ରତୀକ୍ଷାରେ ।

 

କେଜାଣି କିଛି ଅଘଟଣ

ଘଟିଯାଇପାରେ

ହୁଏତ ଇତିହାସର ମୋଡ଼

ବଦଳିଯାଇପାରେ ॥

Image

 

ଅଘଟଣ

(୨)

 

ଗୋଟିଏ ସ୍ମୃତି

ଦୂରେଇଦିଏ ସବୁ ହତାଶାକୁ ।

 

ହେଲେ

ଏବେ ସବୁକଥାର ଓଲଟଗତି

କେତେବେଳେ ଘଣ୍ଟାକଣ୍ଟା

ଓଲଟା ଚାଲୁଚି ତ

କେତେବେଳେ

ରାହୁଗ୍ରାସରୁ ମୁକ୍ତ ହେଲାପରେ ବି

ଚନ୍ଦ୍ର ନିଷ୍ପ୍ରଭ ହେଇଯାଉଚି

ତାରାମାନେ ଶୋଇରହିଛନ୍ତି

ସେତିକିବେଳୁ ଯେ

ସବୁ ଦୁଆର କବାଟ ବନ୍ଦ ।

 

କେଜାଣି କାହିଁକି

ଏପଟ ସେପଟ ହେଇଯାଉଚି

ସବୁକଥା

ଜିତିବା ଭିତରେ ହାରିବା

ସ୍ପଷ୍ଟ ହେଉଯାଉଛି

ଧୀରେ ଧୀରେ ।

 

ଏବେ ପିମ୍ପୁଡ଼ିମାନେ

ବ୍ୟସ୍ତ ନୁହଁନ୍ତି

ବର୍ଷାରେ ସଂପୂର୍ଣ୍ଣ ଭିଜିଗଲେ ବି ।

 

ଶୁଖିଲା ପତ୍ରସବୁ ଏବେ ନିମନ୍ତ୍ରିତ

ଗଛର ଅପୁତ୍ରକ ରାଜଗାଦି ସମ୍ଭାଳିବାକୁ ।

 

ଏତେ ସବୁ ଅଘଟଣ ଭିତରେ

ନଈ ତାର ମୋଡ଼ ବଦଳଉଛି

ଓଲଟ ବାଗରେ

ସିଧା ମନା କରି ଦଉଚି

ହଜିଯିବାକୁ ସମୁଦ୍ରରେ ।।

Image

 

ଆଖି ଆଗରେ

 

ଆଖି ଦିଧାରରେ ଝଡ଼

ସାରା ଦୁନିଆ ଓଲଟ ପାଲଟ

ସେ ସମୟ ଆଉ ନାହିଁ

ଅନ୍ତତଃ ଇଏ ନୁହେଁ ।

ବାଧ୍ୟପିଲାଟିଏ ପରି ସୂର୍ଯ୍ୟ ଥାଏ

ଚୁପ୍‌ଚାପ୍‌

ଗହଳ ମେଘ ଭିତରେ

ପ୍ରମାଣିତ ହୁଏ

ଗର୍ବ ଅହଂକାର ପାଇଁ ସିଏ ନୁହେଁ ।

ହାତୀର ସୁନାକଳସ ନିମିତ୍ତ

ବରଂ ଆଉ କାହାର ଖୋଜା ପଡ଼ିବା ଦରକାର ।

 

ମର୍ଯ୍ୟାଦା ମିଳିଗଲେ

ଈଶ୍ୱରଙ୍କ ଅଂଶ ପାଲଟିଯାଏ

ଆମ୍ବଡାଳ

ନୂଆକରି କଅଁଳି ଉଠେ

ଅଧଭଂଗା ପକ୍ଷୀର ଡେଣା

ହଜିଯାଉଥାଏ ଦାଗ ।

 

ସବୁକିଛି ପରତେକୁ ନବାପାଇଁ

ସମୟ ଦରକାର ।

 

ସମୟ ଦରକାର

ଉପୁଡ଼ା ଗଛର ଡାଳରେ କଅଁଳିବା ପାଇଁ ପତ୍ର

ଏବଂ ଫେରେଇଦେବାକୁ ସକଳ ପ୍ରଶ୍ନ ।

 

ମେଘର ବିଶ୍ଵାସ ଥାଏ

ଆମ୍ବଡ଼ାଳର ପରିଚର୍ଯ୍ୟାରେ ।

ହେଲେ ଆଖି ପାଖରେ ଆଉ ନାହିଁ

ସେଇ ଆତ୍ମବିଶ୍ଵାସ

ସଳିତାଟିଏକୁ ଜଳେଇ ପାରିବାର

ଏବେ

ମାଣକ ପୁରି ସେରକ ପୁରି

ଆଉ କେତେ କ’ଣ ପୁରିଗଲେ ବି

ଆଖି ଆଗରେ

ଉଠିବାକୁ କେହି ନାହିଁ ମାନେ

ଉଠିବା ଅସମ୍ଭବ ॥

Image

 

ବଳକା

 

ମୁଁ ବନ୍ଦୀ, ପରାଜିତ

ବେଳେବେଳେ

ଶୂନ୍ୟରେ ଭାସିଯାଏ

ଅନେକ ଦୂର ।

ହଠାତ୍‌ ଝଟକା ପାଇ ଫେରିଆସେ,

କ୍ଷତାକ୍ତ ଦେହହାତ

ରକ୍ତରେ ଜୁଡୁବୁଡୁ

ମନେହୁଏ :

ମୁଁ ପୁଣି ସେଇ ବନ୍ଦୀଶାଳରେ

ପୁଣି ସେଇ ଝଡ଼ ଅପେକ୍ଷାରେ ।

 

ଗାଁ ମୁଣ୍ଡ ମନ୍ଦିର ବେଢ଼ାର ଚମ୍ପାଗଛକୁ

ବାରମ୍ବାର ଚଢ଼ିଆସେ ସାପ ।

ଯେତେ ମନାକଲେ ବି

ବୁଢ଼ିଆଣୀଟି ବାରମ୍ବାର

ବୁଣିଚାଲିଥାଏ ଜାଲ

ହଜାରଥର ତଳେ ପଡ଼ି ମଧ୍ୟ

ମୁଁ ବାରମ୍ବାର ଚାଲିଯାଉଥାଏ

ପୁଣି ସେଇ କାରାଗାରକୁ ।

 

ସେଇଠି ଗୋଡ଼ ଖସିଯିବାର ଭୟ ଅଛି

କାହାର ବା ବେଳ ଅଛି

ହାତଧରି ଉଠାଇନେବାକୁ

ପାଣିର ଚଟାଣକୁ ଚହଲେଇ

ଧୋଇଦେବାକୁ

ସବୁ ଧୂସର ଧୂଳିକୁ ।

 

ବଂଚିବାର ନାଟକୀୟତାକୁ

ଦୂର କରିବାର ସାହସ ମୋର ନାହିଁ

କିଛି ଯଦି

ବଳକା ଅଛି

ସେଇ ଗୋଇଠାମରା ପାଦଚିହ୍ନ

ଆହତ ପ୍ରଜାପତି ଓ

କିଛି କଳଙ୍କି ଲଗା ଲୁହବାଡ଼ ॥

Image

 

ଆକାଂକ୍ଷା

 

ମନରେ କୌଣସି ଆକାଂକ୍ଷା ନାହିଁ

ଅଭିଳାଷ ନାହିଁ

କିଛି ବି ଧରି ରଖିବାର ।

 

ଗଛର ଉହାଡ଼ ସେପଟୁ

ନାଲି ସୂର୍ଯ୍ୟ ଉପହାସ କରୁଛି

ଚେତେଇ ଦେଉଛି-

କାହାକୁ ଧରି ରଖିବାର ଚେଷ୍ଟା କରୁଛୁ ?

ସ୍ୱାର୍ଥର ପଣତରେ

ସାଉଁଟି ପାରିବୁ ତ ସବୁ ?

 

ମନ ଭିତରର

ଅସଂଖ୍ୟ ପ୍ରଶ୍ନର ଉତ୍ତର ପାଇଁ

ତପସ୍ୟା ଲୋଡ଼ା ।

 

ତେଣୁ କୌଣସି ଆକାଂକ୍ଷା

ନ ରଖିବା ହିଁ ଭଲ ।

 

ଅହଂକାର ଓ ଶାନ୍ତିର ମନ୍ଥନରୁ

ଅମୃତ, ଐରାବତ, ଲକ୍ଷ୍ମୀ

ବାହାରିବ କି ନା କିଏ କହିବ ?

ଭବିଷ୍ୟତର ହସର

ଉତ୍ତର କିଏ ଦେବ ?

ବୃଦ୍ଧ ପରାଶର ।

 

ନା ଆଗତ କହୁଥିବା ସହଦେବ ?

ଆକାଂକ୍ଷାର ବ୍ୟୁହ୍ୟରୁ

ଖସିଯିବା ହିଁ ବୁଦ୍ଧିମାନୀ

ସଂସାର ଭିତରେ ରହି

ନିର୍ଲିପ୍ତ ହୋଇଯିବା ହିଁ ବୈରାଗ୍ୟ ॥

Image

 

ସଂପର୍କ

(୧)

 

ଯାହାର ସଂପର୍କ

କୋଉ ଟାଣ ଦଉଡ଼ିରେ ବନ୍ଧା ନୁହେଁ

ସେ ସହିବାକୁ ପ୍ରସ୍ତୁତ

ସମୟ ଅସମୟରେ

ଘଟିଯାଉଥିବା ଅଦୃଶ୍ୟ

ଝଡ଼ଝଞ୍ଜାକୁ ।

 

ଯାହାର ସଂପର୍କ

ନିକଟରୁ ନିକଟତର

ଆପଣାରୁ ଆପଣାତର

ସେ

ପ୍ରସ୍ତୁତ ନୁହେଁ

କୁଟାଖିଅଟିଏ ର

ଓଜର ଉଠାଇବାକୁ

ଅପ୍ରତିଦ୍ୱନ୍ଦ୍ୱୀ ହୋଇ ସେ ସେମିତି

ରହିଯିବାକୁ ଚାହେଁ

କାଦୁଅପଙ୍କ ରେ

ପାଦ ନ ବୁଡ଼େଇ ।

 

ଶୁଣାଯାଏ

ଆଶ୍ଵାସନା ହିଁ ଈଶ୍ଵର ।

ବନ୍ଧୁତ୍ଵରେ ବିଶ୍ୱାସରେ

କାଳେ ତୁମେ ହିଁ ମିଳିଯାଅ

ସଂପର୍କ ସବୁ ହଜିଗଲା ପରି

ତୁମ ନାମ ଲିଭିଯାଇପାରେ କି ?

ନାଚାର ସମୁଦ୍ର ହାଓ୍ଵା

ବଡ଼ ଦେଉଳକୁ

ଲୁଣି ଖୁଆଇ ପାରେ କି ?

 

ତ୍ରିଭୁଜର ହାତ ପରି

କିଏ ତେବେ ସ୍ଥିର ରଖିବ

ପୃଥିବୀର ଭାରକେନ୍ଦ୍ରକୁ ?

Image

 

ସଂପର୍କ

(୨)

 

ଏ ଦୁନିଆରେ

କାହା ସହିତ ସଂପର୍କ ରଖିବାକୁ

ଇଚ୍ଛା ହୁଏନି

ଭଂଗା ଗୀଟାରର ତାର ପରି

ସ୍ଵାଧୀନ ମୁକ୍ତ, କଣ୍ଟାବାଡ଼ ନଥିବା

ଜୀବନ ବରଂ ଭଲ ।

 

ଯେଉଁଠି ଆତ୍ମୀୟତା ବଦଳରେ

ପ୍ରତାରଣା ମିଳେ

ପାଣିଚିଆ ଆଖିର କାରୁଣ୍ୟ ମଧ୍ୟରେ

ଈର୍ଷା, ପ୍ରତିହିଂସାର ଲୁଚକାଳି

ସେଇଠି

ସଂପର୍କ; ତୋର ସ୍ଥାନ କାହିଁ ?

 

ତୁ ଲୁଚିଯାଉ

ବସ୍ତୁବାଦୀ ମୋହ ଭିତରେ

ତୋର ସଭା ହଜିଯାଏ

ଟୋପା ଟୋପା ରକ୍ତ ମଝିରେ

ଫିକା ପଡ଼ିଯାଏ ତୋର ରୂପ ଗୁଣ ।

 

ସଂପର୍କର ଦ୍ଵାହି ଦେଇ

ଯିଏ ଯାହାର ସ୍ୱାର୍ଥ ସିଦ୍ଧିରେ ବ୍ୟସ୍ତ

ଏଠି ମୂଲ୍ୟବୋଧର କୌଣସି ମୂଲ୍ୟ ନାହିଁ

ନିଜକୁ ଚିହ୍ନିବାକୁ ବି ସମସ୍ତେ ନାରାଜ ।

 

ସବୁ କ୍ଷେତ୍ରରେ

ପ୍ରବଞ୍ଚକ ସଂପର୍କର

ଆବଶ୍ୟକତା

କ'ଣ ଏକାନ୍ତ ଅପରିହାର୍ଯ୍ୟ ?

Image

 

ଗ୍ରହଣ

 

ସୂର୍ଯ୍ୟକୁ ଗ୍ରହଣ ଲାଗିଲାଣି

ଜାଣେ

ତଥାପି

ବେଶଭୂଷା ହୋଇ

ବାହାରି ପଡ଼ିଲାଣି

ଝାଡ଼ିଝୁଡ଼ି ଦେବି ସମସ୍ତ କଳଙ୍କକୁ

ସୂର୍ଯ୍ୟର ।

 

ତା’କୁ ଘୋଡ଼େଇ ରଖିବି

ପଣତ ତଳେ ।

 

ଆଉ କେବେ

କାହାର ଛାଇ ପକେଇ ଦେବିନି

ତା’ ଉପରେ

ତାକୁ ରଖିବି ସବୁବେଳେ

ମୋ ନିଜର

ନଜର ସାମନାରେ ।

 

ସେ ତ ମୋତେ

ପ୍ରତିଶ୍ରୁତି ଦେଇସାରିଛି

ଉଦୟ ଅସ୍ତ ହେବ

କେବଳ ମୋ’ରି ଇସାରାରେ ।

 

କୁହୁଡ଼ି ବିନ୍ଦୁକୁ

ମୋତିଗୁଣ୍ଡ କରିବ

ଘାସକୁ ଛୁଇଁଦେବ

ସମୁଦ୍ରକୁ ଶୁଖେଇଦେବ

ସବୁକିଛି କରିଯିବ

ଖାଲି ମୋ'ରି ଇସାରାରେ ।

 

ଏବେ

ତା’ର ଆଉ ବଳ ନାହିଁ

ମତେ ଏଡ଼େଇ ଯିବାକୁ

ସମସ୍ତେ ମୁହଁ ଫେରେଇ ନେଲେଣି, ତା'ଠୁ ।

 

ସେ ଯିବ କୁଆଡ଼େ

ଏମିତି ଅସହାୟ ଭାବେ ।

ତାକୁ ମୁଁ ଛାଡ଼ି ଦେବି ବା କେମିତି ?

 

ପୋଛି ଦେବି

ତାର ସମସ୍ତ କଳଙ୍କକୁ

ସବୁ ପରିହାସକୁ ଏଡ଼େଇ ଦେଇ

ଗ୍ରହଣ କରିନେବି ତାକୁଇ ॥

Image

 

ତା’ର ଆସିବା

 

ନିସ୍ତବ୍ଧତାର ବନ୍ଧ ଡ଼େଇଁ

ସେ ଏମିତି ପଶିଆସେ

ମନ ଭିତରକୁ ।

 

ସେ ଯେତେବେଳେ ଦସ୍ତକ ଦିଏ

ହୃଦୟର କବାଟ ଖୋଲିଯାଏ

ଗଛମାନେ ଅଜାଣତରେ

ଫୁଲମାନଙ୍କରେ ଭରିଯାଆନ୍ତି

ଆମ୍ବଗଛରେ

ହଠାତ୍‌ ବଉଳ ଦେଖାଦିଏ ।

 

ସେ ଆସିଲେ

ଚଞ୍ଚଳ ହୋଇଉଠେ ମନ

କବି ତାର ମନ ପୃଷ୍ଠାରେ

ଲେଖିଯିବାକୁ ଚେଷ୍ଟାକରେ

କେତେ ବାଗରେ ।

 

କଫି ଟେବୁଲରେ ପଡ଼ିରହିଥିବା

ସମୟ

ଚଂଚଳ ହୋଇଉଠେ-

ଭାବନା, ତାର ବନ୍ଧୁବାନ୍ଧବ ନେଇ

ପଶିଆସେ ଭିତରକୁ ।

 

ସବୁ ଅନ୍ତର୍ଦ୍ୱନ୍ଦ୍ୱର

ସମାଧାନ ପାଇଁ

ଅସରପାମାନଙ୍କର

ଔଦ୍ଧତ୍ୟ ପାଇଁ

ଝିଟିପିଟିର ଧ୍ୟାନ ଭଗ୍ନ ପାଇଁ

ତାର ଆସିବା

ନିହାତି ଜରୁରୀ ହୋଇପଡ଼େ ।

Image

 

ଶରଶଯ୍ୟା

 

ତୁମେ ଆଗେଇ ଚାଲ

ଭବିଷ୍ୟତ ଯେ ତୁମକୁ .

ଅପେକ୍ଷା କରିଛି

ପାଛୋଟି ନେବାକୁ

କିଛି ନୂଆକଥା ଦେଖେଇ ଦେବା ପାଇଁ ।

 

ଭିନ୍ନ ବାଟର ବାଟୋଇ ହେଲେ ବି

ଅନେକ ଆଶାର ଝଲକ ମିଳିଛି

ପ୍ରତିଦ୍ଵନ୍ଦୀ ହୋଇ ମଧ୍ୟ ।

ଆଡ଼େଇ ଯିବାକୁ ପଡ଼ିଛି

ନିଜକୁ ତିଳତିଳ ଦାହ କରି ।

 

ଭୀଷ୍ମର ଅବଶତାକୁ

ଚିହ୍ନିବାକୁ ଚେଷ୍ଟାରେ

ଜୀବନ ସାଙ୍ଗେ ଲଢ଼ିବା ପଣକୁ

ଇତିହାସ ମୂଲ୍ୟ ଦେଇ ନ ପାରିଲେ ବି

ତୁମେ ଦେବାକୁ ଚେଷ୍ଟାକର ।

ସଂପର୍କର ଦ୍ୱାହି ଭିନ୍ନ

ଅବଶତାକୁ

ନିଜର କରିବାକୁ ପ୍ରୟାସ କର

ହୁଏତ ସଫଳ ହୋଇଯାଇପାର ।

 

ମୁମୂର୍ଷ ସେ

ତାକୁ ପାଦରେ ଦଳି

ନିଃଶେଷ କରିବା ପରେ ବି

ତୁମ ଯିବାବାଟ ପରିଷ୍କାର କରୁଥିବ

ଶରଶଯ୍ୟାରେ ଥାଇ ମଧ୍ୟ

ଅର୍ଜ୍ଜୁନର ପ୍ରସିଦ୍ଧିର ଦ୍ଵାର ଖୋଲୁଥିବ

ତାର ଅବଶ ହୋଇଯାଇଥିବା

ହାଡ଼ୁଆ ହାତରେ ॥

Image

 

ବିଶ୍ଵାସ

 

ଖାଲି ବିଶ୍ୱାସଟିଏ ହେଲେ ଚଳିବନି

ଅନେକ କିଛି ରହିଯାଇଚି

ସାକାର ହେବାକୁ ।

 

ଏବେ ଅପେକ୍ଷାର ସୂର୍ଯ୍ୟ

ଧୀରେ ଧୀରେ

ପଣ୍ଚିମକୁ ଢଳିଯାଉଚି

ତଥାପି,

ତା’ର ବିଶ୍ୱାସ

ସବୁକଥା ପଛରେ ପକାଇ

ଉତ୍ତରଟି ଚାଲିଆସିବ

ଅସ୍ତ ହେବା ପୂର୍ବରୁ ।

 

ବିଶ୍ୱାସ କବର ନେଇଗଲାଣି

କେତେ ଶତାବ୍ଦୀ ଆଗରୁ

ଏବେ ଏବେ

ଅବିଶ୍ୱାସ କରିବାକୁ

ଯାହା ଯାହା ଲୋଡ଼ା

ସିଏ ବି ଲୁଚିଗଲାଣି ଇତିହାସର ଖମାର ଭିତରେ ।

 

ହେଲେ ଇତିହାସ ବି ଅସହାୟ

ଅତୀତର ଝର୍କା ଆଢ଼ୁଆଳରୁ

ମୁହଁ ଦେଖେଇବାର

ସାହସ କି

ଚେଷ୍ଟା ନାହିଁ ତାର

ଖାଲି ଗୋଟେ ଗୋଟେ ପୃଷ୍ଠା

ଲେଉଟେଇବା ଛଡ଼ା ।

 

ଆଶା ରଖିବା

ସବୁ କଥା ଶୁଣିବା

ଘଟଣାକୁ ତନ୍ନ ତନ୍ନ କରି ଜାଣିବା

ସହଜ ନୁହେଁ । ସହଜ ନୁହେଁ

ଘଟଣାର ଆଶ୍ଚର୍ଯ୍ୟ ଭ୍ରୁକୁଟୀରୁ

ସବୁ କଥା ଅନୁମାନ କରିପାରିବା ।

 

କେହି ତ ନାହିଁ

ଯିଏ ମନ୍ତ୍ର ପଢ଼ି ଜୀବନଦାନ କରିପାରିବ ।

 

ସବା ଶେଷରେ ଯମ

ନିଜକୁ ହିଁ ଗଢ଼ିବାକୁ ପଡ଼ିବ

ନିଜ ବିଶ୍ଵାସର ପାହାଡ଼ ଚଢ଼ିବାକୁ

ପ୍ରସ୍ତୁତ ହେବାକୁ ପଡ଼ିବ

ବାରମ୍ବାର

ଧର୍ମବକର

ପ୍ରଶ୍ନସବୁର ଉତ୍ତର ତ

ଯୋଗାଡ଼ କରିବାକୁ ପଡ଼ିବ ॥

Image

 

ସେ ସେମିତି ଚାଲୁଥିବ

 

ଏତେ ବାଟ ଚାଲିବା ପରେ ବି

ସରିଲାନି ତ ଏ ବାଟ

ନୀରବ ଦର୍ଶକ ହୋଇ ମଧ୍ୟ

ସଂଶ୍ଲିଷ୍ଟ ହେବାକୁ ପଡ଼ିଲା

ଧୂଳିଝଡ଼ରେ ।

 

ଅବଚେତନ ମନର କଥାସବୁ

ଚେତନ ମନକୁ ଛୁଇଁ ପାରିଲେ ହିଁ

ଗଛମାନେ ଜୀବନ ପାଆନ୍ତି

କଅଁଳି ଉଠେ ପ୍ରଜାପତିଙ୍କର

ନୂଆ ନୂଆ ଡେଣା ସବୁ ।

 

ଉପହାସକୁ

ନିର୍ଲିପ୍ତି ଭାବରେ ସହିବାକୁ ପଡ଼େ

ଦୁଃଖକୁ ସାତତାଳ ପାଣିରେ ଲୁଚେଇ ଦେଇ

ଯେତେବେଳେ

ଅନେକ ଦ୍ୱନ୍ଦ୍ୱ ଭିତରେ

ଶେଷ ନିଷ୍ପତିରେ ପହଞ୍ଚୁହୁଏନା

ଈର୍ଷା ଅସୂୟାକୁ ଛାଡ଼ିହୁଏନା

ଛାଇ ପରି

ସେମାନେ ପଛେ ପଛେ ଗୋଡ଼େଇ ଥାଆନ୍ତି ।

 

ହେଲେ

ମଣିଷର ଶେଷ ସମୟରେ

ଏସବୁର ବା କ’ଣ ଦରକାର ?

 

ସେ ତା'ର ସେମିତି ଚାଲୁଥିବ

ଉପହାସ ଭିତରେ

ଧୂଳିଝଡ଼ ଭିତରେ

ବୃକ୍ଷ ମାନଙ୍କ ହର୍ଷୋଲ୍ଲାସରେ

ଈର୍ଷା ଗୋଡ଼ଉଥିଲେ ବି

ଗୋଟିକ ପରେ ଗୋଟିଏ ମାୟା ନେଇ

ସେ ସେମିତି ଚାଲୁଥିବ

ତା'ର ସେଇ ଅସରନ୍ତି ବାଟ ମଝି ଦେଇ ॥

Image

 

ଜୀବନ ବୋଲି ତ

 

ଜୀବନ ବୋଲି ତ ଏଇତକ

ଏଇକିଛି ସ୍ଵପ୍ନ ଏଇକିଛି ଗର୍ବ

ଭାଙ୍ଗିଗଲେ ଯାଏ ।

 

କେମିତି ଭାବି ନେଇ ହେଇଯାଏ କେଜାଣି

କିଏ ଉଭା ରହିଥିବ ଚିରକାଳ

କାଳକାଳକୁ କିଛି ବି ରହିପାରେନି ବୋଲି

ଜାଣିକି, ଜାଣିକରି ବି

ସତ

ସତ ରହେନି

ଚିର କାଳ ।

 

ନିଜକୁ ନେଇ

ଆଉ କୋଉ ଭିତରେ

ହଜେଇ ପାରିବାର ଭେଦ ଖୋଜୁ ଖୋଜୁ

ଅନ୍ଧାର ଭିତରେ ଅନ୍ଧାର

ସାଜିଯାଇଥାଏ ଅହଂକାର ।

 

ହାରିଯିବାର କ୍ଷୋଭ

ଆଉ ଜିଣିନେବାର ଲୋଭ ଭିତରେ

ସେମିତି ଅପ୍ରତିହତ ଥାଏ ବାଟ ।

 

ଦୁଃଖ ନ ଭୋଗିବାର

ଅପେକ୍ଷାକୁ

ଅପେକ୍ଷା ବୋଲି

ଭୁଲିହେଇଯାଇଥାଏ ବୋଲି

ବୋଧହୁଏ ବାଟ ଜଗି

ଠିଆ ହେଇଥାଏ ଅହଂକାର ।

 

ଜୀବନ ଗଢ଼ିଲାବେଳକୁ

ଭାଂଗିଯିବା କଥା ପରତେ କୁ ନେଇଥିଲେ

ଟିକେ ଟିକେ କଥାରେ

ଆଉଜିଯିବାକୁ ପଡ଼ୁନଥାନ୍ତା

ଶିଉଳିଲଗା କାନ୍ଥରେ

ଅବିଶ୍ଵାସର ॥

Image

 

ଏକା ତୁ ହିଁ ଜାଣୁ

 

ତୁ ତୋ ସାମ୍ରାଜ୍ୟର ସାମ୍ରାଜ୍ଞୀ ପୃଥିବୀ

ତୋ ଇସାରାରେ ସୂର୍ଯ୍ୟ ଭୋରରୁ ଭୋରରୁ ଆସେ

କାକର ପକେଇ ନିଦରୁ ଉଠାଏ

କାଉ କୋଇଲି ଠୁ ତୃଣତରୁ

ଗୋଠକୁ ନିଏ ସଭିଙ୍କୁ

କେବେ ପବନ ତେଜି, କେବେ ବଇଁଶୀ ବଜେଇ

ସ୍ଵର ତୋଳେ ଯେ

ଉଛୁର ହାତ ସଅଳ ସଅଳ ବଢ଼ିଆସେ କାମକୁ ।

 

ସଂଜ ହେଲେ

ପକ୍ଷୀ କାନରେ ଶୁଣେଇ ଆସେ

ଘରକୁ ଫେରିବାର ମନ୍ତ୍ର

ସବୁ ଦାୟିତ୍ୱ ବୁଝେଇ ସାରି ଜହ୍ନକୁ

ସେ ଫେରେ ତା’ ହାଲକା ପଣକୁ ।

 

ଏବେ ଅନ୍ଧାର

ସବୁ ଅବଲୁପ୍ତ ସାମ୍ରାଜ୍ୟର

ଏକାଙ୍ଗ ଚକ୍ରବର୍ତ୍ତୀ ଜହ୍ନ

ହାତଗଣତି ମନ୍ତ୍ରୀ ପାରିଷଦ

କେବେ ଉଲ୍‌କା ଫିଙ୍ଗି

କେବେ କାହାର ରାସ୍ତା ରୋକି

ସେ ଶାସନ ଚଲେଇଚି ତା’ର ।

 

ଏମିତି ଗଲା ଆସିଲା ବେଳରେ ଦିନେ

ଜହ୍ନ ପଚାରେ ସୂର୍ଯ୍ୟକୁ

ଏବେ କେବେ ଆମେ ଦିହେଁ

ବସିପାରିବାନି ମୁହୂର୍ତ୍ତେ ଏକାଠି ।

 

ତୁ ତୋ ସାମ୍ରାଜ୍ୟର ସାମ୍ରାଜ୍ଞୀ ପୃଥିବୀ

ସୂର୍ଯ୍ୟକୁ ଦଣ୍ଡଟେ ଅଟକେଇ

ଜହ୍ନକୁ ନିଉତା ଦେଇ

ତୋ ସଭାରେ ଦିନେ

ତୁ ଏକା ହିଁ ପାରିବୁ ।

 

କେଜାଣି କେମିତି ହେବ

ସେ ପରିବେଶ

ପ୍ରଳୟ କି ଇନ୍ଦ୍ରପ୍ରସ୍ଥ

ତୁ ହିଁ ଜାଣୁ

ଏକା ତୁ ହିଁ ଜାଣୁ

ପୃଥିବୀ ॥

Image

 

ଝଡ଼ ପରବର୍ତ୍ତୀ କଥା

 

ଏମିତି ଭାବିନେବା ବୋଧହୁଏ ଠିକ୍‌ ନୁହେଁ

ଦୁନିଆଟା ଦୁର୍ବଳ ନିଜ ପରି

ଏବଂ

ସମସ୍ତେ ଭାବିବସିବେ

ଝଡ଼ଟିର କାରଣ, ନିଜ ପରି ।

 

ସମସ୍ତେ ବି ତ ଗ୍ରହଣ କରିନିଅନ୍ତିନି ସହଜରେ

ସୋରିଷ ଗଛଗୁଡ଼ିକୁ

ଏବଂ ସୋରିଷଦାନାକୁ ଛାତିରେ ଧରି

ନଇଁ ଯିବାର କାରଣକୁ ।

 

ସମସ୍ତେ ସୁଯୋଗ ନେଇଯିବେ

ଦୁର୍ବଳତାର

ଛଡ଼େଇ ନେଇଯିବେ ସୋରିଷ ଦାନାଗୁଡ଼ିକୁ ।

 

ସେତେବେଳେ କ’ଣ ବା କରିପାରିବ ?

କେମିତି ବୁଝେଇବ ସବୁକିଛି ସୁରକ୍ଷିତ ଅଛି ବୋଲି

ଏବଂ

ମନଟା ବା ଆଉ ଅଧିକ କ’ଣ

ଜିନିଷଟିଏ ଛଡ଼ା ?

 

ଏମିତି ବି ଏଠି କିଛି ଚିହ୍ନ ନାହିଁ

ଝଡ଼ର କି ଭୂମିକଂପର

ଗଛଲତାଙ୍କର ସାହସ ନାହିଁ

ମୁହଁ ଖୋଲିବାର

ନା ଅଛି ସମୁଦ୍ରର ନା ବାଲିର

କିଏ ବା କାହିଁକି ଚେତେଇଦେବ

ଘଟଣାର ଗୁରୁତ୍ଵକୁ

ସମସ୍ତେ ତ ଝଡ଼ ପରବର୍ତ୍ତୀ ଅବସ୍ଥାର

ଚିନ୍ତାରେ ଭୟାର୍ତ୍ତ ।

 

ଯିଏ ଅନୁଭବୀ ସିଏ ସିନା ଜାଣନ୍ତା

ଦର୍ଶାନ୍ତା କାହା ଚିତ୍କାରର କି କି ଅର୍ଥ ।

 

ସମସ୍ତେ ଜାଣି ଅଜଣା ଏଠି

ଉପରେ ଉପରେ ଖୁବ୍‌ ବ୍ୟସ୍ତ କିନ୍ତୁ

କାରଣ ଖୋଜିବାରେ

ଏବଂ ଖୁବ୍‌ ଚିନ୍ତିତ ବି

ଝଡ଼ ପରବର୍ତ୍ତୀ ଅବସ୍ଥାକୁ ନେଇ ॥

Image

 

କୋଠରୀ

 

ସବୁ କୋଠରୀର ଚାବିଧରି

ବସିଥିଲି

କେହି ଆସୁନଥିବା ପାହାଚକୁ ମୁହଁକରି

ଏଇଥରକ ଚାବିତକ ଦେଇଦେବି

ଯାହାର ଯାହାକୁ ବୋଲି

ଗଣୁଥୁଲି ପାଦଶବ୍ଦ ।

 

ମୂଳଦୁଆ ଟଳି ପଡ଼ୁଥିଲା

ଚାକ୍ଷୁସ ପ୍ରମାଣର ଅଭାବରେ

ଯେଝା ଚିନ୍ତାରୁ ଯିଏ

ଓହରି ଯାଉଥିଲେ

ଯେଝା ଯେଝାର ପରାଧୀନତା

ଭିତରେ

ସେ କଥାଟା ବା କିଏ ପଚାରେ ?

 

ଏଥରକ ଚାବି ଫେରେଇ ଦେବି

ଯାହାର ଯାହାକୁ

ଏଥରକ

ଆପେ ଆପେ ଖୋଲିଯିବ

ମୋ କୋଠରୀର ଦୁଆର ଝରକା

ବାଟ ଛାଡ଼ି ଦେବା ପାଇଁ

ଖୋଲା ପବନକୁ ॥

Image

 

ହାତଗଢ଼ା ଖେଳ

 

ଆଖିରୁ ଲୁହ ଟୋପାଏ

ଝରି ଆସିବା ପୂର୍ବରୁ

ଅସ୍ପଷ୍ଟ ହୋଇଯାଏ

ସବୁ ଦୃଶ୍ୟ

ଲୁହର ଦର୍ପଣ ସେପାଖରୁ ।

 

ଏଣେ କାଶତଣ୍ଡୀ ଫୁଲର

ହସ ଦେଖିବାକୁ

ବାଟୋଇ ମେଘ

କାମଦାମ ଛାଡ଼ି

ଦଣ୍ଡେ ଘଡ଼ିଏ

ଅଟକି ଯାଉଥାଏ

ତେଣେ ଡାଳପତ୍ର ଝଡ଼ିଗଲା ପରେ

ସଂପର୍କର ଖିଅ ସବୁ

ଖୋଜା ଚାଲିଥାଏ ଯେ

ଚାଲିଥାଏ

ଏଠି ସେଠି ସବୁଠି

ଦରଗଢ଼ା କଣ୍ଢେଇଙ୍କ

ହାତଗଢ଼ା ଖେଳ ଏମିତି ଚାଲିଥାଏ ।

 

କେଜାଣି

ସ୍ଵପ୍ନ ସବୁ ଏଇଠି ହୁଏତ

ସତ ହୋଇପାରେ ॥

Image

 

ବରଂ, ଦୂରେଇଯିବା ଭଲ

 

ହରିବାକୁ ଚାହୁଁଥିଲି

ଏଇଥି ପାଇଁ ଯେ

ଆଉ କେବେ ଜିତିବାର ପ୍ରୟାସ କରିବି ନାହିଁ ।

 

ଭୁଲ କରିବାକୁ ଚାହୁଁଥିଲି

ଏଇଥିପାଇଁ ଯେ

ଆଉ କେହି କେବେ ।

ମୋଠାରୁ ଠିକ୍‌ର ହିସାବ ଆଶା କରିବେନି ।

 

ନିଜ ସୀମା ଭିତରେ ରହିନଥିଲି

ଏଇଥିପାଇଁ ଯେ

ଥରେ ଧକ୍‌କା ଖାଇଗଲେ

ଆଉ ଥରେ

ସୀମା ଟପିବାକୁ ଇଚ୍ଛା କରିବିନି ।

 

ଏମିତି ସବୁ

ପରୀକ୍ଷା ମଝିରେ

କେତେବେଳେ ସବୁ ଯେ

ହଜିଯାଇଥିବ

ଏବଂ

ମୁଁ ରହିଯାଇଥିବି ବହୁ ପଛରେ

ରାସ୍ତାରୁ ଗୋଟଉଥିବି ଅଭିମାନ

ଆଉ, ଚେଷ୍ଟା କରୁଥିବି

ତାକୁ ଲୁଚେଇବାକୁ

ଗୋଟେ ଶୁଖିଲା ହସ ଭିତରେ ।

 

ସବୁ ଘଟିଯିବା ପରେ ଯଦି

ଅନୁଭବ ହୁଏ

ସତ କ’ଣ

ତେବେ ସେ ଅନୁଭବର

ବୋଧହୁଏ,

କିଛି ମୂଲ୍ୟ ନ ଥାଏ ।

 

କିଛି ମୂଲ୍ୟ ନ ଥାଏ

ପ୍ରତିଟି ମୁହୂର୍ତ୍ତକୁ

ହାତ ମୁଠାରେ ରଖିବାର

ନିଷ୍ଫଳ ପ୍ରୟାସରେ ।

 

ବରଂ,

କିଛି ଘଟିଯିବା ପୂର୍ବରୁ

କିଛି ଅନୁମାନ କରି

ଦୂରେଇଯିବା ଭଲ

ଏଡ଼େଇଯିବା ଭଲ

ସବୁ ପରୀକ୍ଷାରୁ

ସବୁ ବାସ୍ତବତାରୁ ।

 

ଏବଂ

ଭୁଲ୍‌ - ଠିକ୍‌

ଓ ହାର୍‌ - ଜିତ୍‌ର

ହିସାବ ପୂର୍ବରୁ ॥

Image

 

ନିଜ ଭିତରେ

 

ଆଖିରେ ସ୍ଵପ୍ନ ତ ନଥିଲା

ଲୁହର ପ୍ରତିଟି ବିନ୍ଦୁରେ

ଝରିଯାଇଥିଲା ସିଏ

ତଳେ ପଡ଼ିବା ପୂର୍ବରୁ

ଆଲୁଅ ତୋଳି ନେଇଥିଲା ତାକୁ

ନିଜର ପ୍ରତିବିମ୍ବ ପାଇଁ ।

 

ତା’ର ଯେମିତି କିଛି ଶକ୍ତି ନ ଥିଲା

ରୁଦ୍ଧ ଜଳପ୍ରପାତ କରି

ନିଜ ଭିତରେ ଘୂରି ବୁ ଲୁଥିଲା ସେ

କୁହୁଡ଼ି ଭିତରେ

ମିଳେଇ ଯାଉଥଲା ସେ ।

 

ବୁଝିପାରିନଥି ଲା ସେ

ତା’ର ଗୁରୁତ୍ଵକୁ

ଏପରି ଏକ ଜୀବନ ଭିତରେ

ଯେଉଁଠି

ଲାଗିରହିଥାଏ ଯୁଦ୍ଧ

 

ରକ୍ତ ନୁହେଁ ଜୀବନ ଝରେ

ଏଇ ଯୁଦ୍ଧରୁ

ଯାହାର ସାମାନ୍ୟ ଆଭାସରେ

ବଗିଚାର ସବୁ ଫୁଲ

ଝାଉଁଳି ଯାଏ

ଯେଉଁଠି ପ୍ରତିଟି ମୁହୂର୍ତ୍ତ ମାପଚୁପ

ଯେଉଁଠି ପାଦ ଖସିଗଲେ ନର୍କ

ପ୍ରାପ୍ତିରେ ସ୍ଵର୍ଗ

ସେଠି ସେ ହିଁ

ଜୀବନର ଏକମାତ୍ର ପ୍ରତୀକ ।

 

ସେ ହୁଏତ ସତ୍ୟ ନୁହେଁ

ମାତ୍ର ସବୁ ତ ମିଳିଯିବ

କ୍ଷଣକ ଭିତରେ

କ୍ଷଣସ୍ଥାୟୀ ହେଲେ ବି

ସ୍ଵର୍ଗର ଆନନ୍ଦ

ପାରିଜାତର ବାସ୍ନା

ଖୋଜିପାରିବ ନିଜ ଭିତରେ ହିଁ ॥

Image

 

ପୁଣିଥରେ ଆରମ୍ଭରୁ

 

କବାଟରେ ଠକ୍‌ ଠକ୍‌ ଶବ୍ଦ

ରାସ୍ତାରେ ପଥର ଗୋଡ଼ିମାନଙ୍କ କୋଳାହଳ

ଶୂନଶାନ ମୁହୂର୍ତ୍ତ କିଛି

ଆଉ ଆଖି ଆଗରେ

ଅସଂଖ୍ୟ ଶବ୍ଦର ଉତ୍ସ ।

 

ହଠାତ୍‌

ପ୍ରକୃତିସ୍ଥ ହେବା ପୂର୍ବରୁ

କିଛି ଘଟିଯାଇଥାଏ

ଅନୁଭବର ଟାଣୁଆ ତାର ବାଡ଼ ଡେଇଁ

ସେଇ ଅଜଣା ଇଲାକାରେ ।

 

କୁଆଡ଼େ ଏପଟ ସେପଟ ହେବାର

ଜୁ ନଥାଏ ।

ଘେରି ରହିଥିବା ଶତ୍ରୁମାନେ

ବାଟ ଛାଡ଼ି ଦେବେ ତ

ସେଇ ପଥରରେ

ମନ୍ତ୍ରଦଣ୍ଡଟିକୁ ଛୁଏଁଇ ଦେବାକୁ ।

 

ହୁଏତ

ପୁଣି ଫେରିଆସିବ

ମନର ସ୍ଥିରତା

ସବୁ କଥା

ଆରମ୍ଭ କରିବାକୁ ପଡ଼ିବ

ପୁଣିଥରେ ଆରମ୍ଭରୁ ॥

Image

 

ଏବେ ବୋଧହୁଏ

 

ଏମିତି ଲାଗେ

ପବନରେ ଶାଢ଼ୀ ଝାଡ଼ିବା ପରି

ପତ୍ରର

ନିଶୂନ ଖରାବେଳେ

ସେ ଶବ୍ଦ କିଏ ଡ଼େଇଁବା ପରି

ନୁହେଁ ତ

ପୋଖରୀ ପାଣିରେ !

 

କେଜାଣି ଡର କାହାକୁ- ?

ଲାଗେ

କୋଚିଲା ଡାଳରେ

ଗୋଡ଼ ଓହଳେଇ ବସିଛି ଝିଅଟିଏ

ନିଜ ସ୍ଵରରେ ନିଜେ ତରଳି ତରଳି

ମିଶିଯାଉଛି ପବନରେ

ପଣସ ର କଣ୍ଟା ସବୁ

ହସୁଛନ୍ତି

ଅନ୍ଧାର ଯେମିତି

ତାଙ୍କ ମୁଣ୍ଡ ଉପରେ

ମୁରବି ନଥିବା ନିଶ୍ଚିନ୍ତ ରାଜ୍ୟ ।

 

କହିପାରେନି

ଚଉବାହାକୁ ବେଢ଼ିକି ଅଛନ୍ତି

ଜଣା ଅଜଣା କେତେ ନା କେତେ ଠାକୁର ।

କହିପାରେନି

ଆମ୍ବଡାଳଟେ ଭାଂଗି ଦେଇ

ପଶି ଯା’ ଘରକୁ

ସବୁ କାଳ ଅକାଳ ଏବେ ତାରି ଭିତରେ

ଫେରିଯିବେ ପାଣିକୁ ।

 

କହିପାରେନି

ଆଖି କାନ ଥାଉ କି ନ ଥାଉ ।

କେହି ଡରାଅନି ବୋଲି ।

 

ନିଜକୁ ବୁଝେଇ ପାରିବାର

ସମ୍ଭାବନା ଯେଣୁ ନାହିଁ

ଏବେ ବୋଧହୁଏ

ମୁଁ ଆଉ ପିଲା ହେଇ ନାହିଁ ॥

Image

 

ସବୁ ସମ୍ଭବ

 

ସମୟ ଅଥର୍ବ

ମଣିଷ ପଙ୍ଗୁ

ଏଇ ନିର୍ଜନ ଦ୍ୱୀପରେ ।

 

ସ୍ମୃତି ସବୁର ଢେଉ

ଆସେ ପୁଣି ଚାଲିଯାଏ ।

 

ଏ ଦ୍ୱୀପରେ କେହିନାହାନ୍ତି

କିନ୍ତୁ ସମୟର ପାଦଚିହ୍ନ ଏଠି

ଖୁବ୍‌ ଗାଢ଼

ସମସ୍ତେ ଖୋଜି ବସନ୍ତି ଏଇଠି

ପାଣି ଉପରେ

ନିଜର ପାଦ ଚିହ୍ନ ।

 

ଅପେକ୍ଷାରେ କେତେଯୁଗ ବିତିଗଲାଣି

ନା ଏଠିକି କେହି

ନିର୍ବାସିତ ରାଜା ଆସୁଛନ୍ତି

ନା କୋଉ ବୋଇତ ଲାଗୁଛି

ଖାଲି ଯାହା ନିଜ ଭୂମିକା ଅନୁଯାୟୀ

ରହିଯାଉଛି; ସମୟ ।

 

ଡେଣାକଟା ପକ୍ଷୀଟି ପରି

ଅଭିଶପ୍ତ କିନ୍ନରଟି ପରି

ବସି ରହିଛି ଏ ନିର୍ଜନ ଦ୍ଵୀପ

ଇତିହାସର ଭଙ୍ଗାରୁଜା ଡାଳ ଉପରେ ।

 

କେବେ ନା କେବେ

କିଛି ନା କିଛି ଘଟିବ ହିଁ ଘଟିବ

ସମୁଦ୍ରରୁ ପାଣି ଫେରିଆସିବ

ଆକାଶକୁ ।

 

ପବନରୁ କଟିଯିବ ଗତି

ସବୁ ସମ୍ଭବ ହବ ଏ ଦ୍ଵୀପରେ

ଏଇ ନିର୍ଜନ ଦ୍ଵୀପରେ ।

Image

 

ଶେଷ ସବୁ ନାହିଁର

 

ସବୁ ସାକାର ହେବା ଦେଖୁଛି

କିଛି ଆଉ ଅଧା ନାଇଁ ଯେ

ଅବଶୋଷ କରିବି

ଠିକ୍‌ଠାକ୍‌ ବଂଚିହେଲାନି ବୋଲି ।

 

ଏବେ ଆଉ କିଛି ଫାଇଦା ନାଇଁ

ସନ୍ତୁଳି ହବାରେ

ପାଦ

ମାଟିରେ ନା ଅନ୍ତରୀକ୍ଷରେ

ଖାଲି ଦେହଟା ଯାହା ଖେଳୁଛି ।

 

ଏବେ ଚିତ୍ର କରିହେବ

ମନଇଚ୍ଛା ରଂଗର

ଏଠି ରଖିବ ଆଖି

ସେଠି ନାକ ଏଠି ହାତ

ସେଠି ଗୋଡ଼

ଆଉ ଆଉ ଅଙ୍ଗପ୍ରତ୍ୟଙ୍ଗ ସବୁ ।

 

ଯୋଉଠି ନାଇଁ ସେଇଠି

ଦେହ ସଂଚରଣଶୀଳ ହେବ

ମୋ ଚିତ୍ରର ପ୍ରଶଂସା କରିବ ଯେ

ପ୍ରଶଂସା କରିବି ମୁଁ

ତମେ ଆଙ୍କି ନ ଥିବା ଝୋଟିର

ଟିପେଇ ଟିପେଇ ପହଞ୍ଚିବ ବୋଲି

ଆକାଶରେ

କହିବ କିଏ

ବେଧଡ଼କ ହଁ ଭରିବି ମୁଁ ।

 

ମାଠିଆରେ ଚଳୁଏ ପାଣି ଥିଲା ଯାଏଁ

ଦେଖୁଥିବି ସେଇଠି

ସବୁକିଛି ଥିବାର ଦୃଶ୍ୟ ।

 

ନଡ଼ିଆଗଛ ଆପେ ଆପେ

ଅଜାଡ଼ି ଦେବ ଫଳ

ଫେରିଯିବାର ରହସ୍ୟ ।

 

ବିଲିତାଟିଏ ର ଉପଯୋଗୀତାରେ ବି

ଘୋଷଣା କରୁଥିବି

ଏଇଠୁ

ଶେଷ ହବ ସବୁ ନାହିଁର ॥

Image

 

ଆଗେଇବାକୁ ପଡ଼ିବ

 

ଭୁଲଟିଏ ପାଇଁ

ଅନୁତାପ

ପାପଟିଏ ପାଇଁ

ପ୍ରାୟଶ୍ଚିତ ଖୋଜୁଛ କି ?

 

ହେଲେ କ’ଣ ଦରକାର

ଆଖି ବୁଜି ଦେଲେ

କିଏ କାହିଁକି ଜାଣିବ ଯେ !

 

କାହାର ସମୟ କାହିଁ

କାହା ଜୀବନର ମୂଲ୍ୟାୟନ କରିବାକୁ ?

 

ପ୍ରାୟଶ୍ଚିତ ଲୋଡ଼ିଲାବେଳକୁ

ସ୍ଥାନ କାଳ ପାତ୍ର

ସବୁ ନିୟଣ୍ଟ ଏଠି ।

ଖାଲି ଜୀବନଟା ସରିଯିବ

ଏମିତି ଶୁଖିଲା ଅଭିମାନରେ ।

 

ସମସ୍ତେ ଆଡ଼େଇ ଯିବେ

ଯେଝା ବାଟରେ

ଏକେଲା ପଛରେ ପଡ଼ିଯିବ

କାହାର ବା ସମୟ କାହିଁ

ଫେରିଚାହିଁବାକୁ ପଛକୁ

କାଳେ ହାତଧରି ଉଠେଇନେବାରେ

ସଂପର୍କକୁ ନାମାୟନ କରିବାକୁ ପଡ଼ିବ ।

 

ପଛକୁ ଫେରିଚାହିଁବାଟା

କାଳେ ଅଧଃପତନ ?

ଛାତିକୁ ପଥର କରି

ଖଣ୍ଡିଆଖାବରା ହେବାପରେ

ଘୋସାରି ହୁଅ ପଛେ

ଆଗେଇବାକୁ ହିଁ ପଡ଼ିବ

ଅନ୍ଧଭାବରେ ॥

Image

 

ଅତିକ୍ରମଣ

 

ନିର୍ଦ୍ଧାରିତ ଦିନ ପହଞ୍ଚିଯାଇଚି

କିଛି ପଚାରିବା ଆଗରୁ

ସତ୍ୟ ଉପରୁ ପରଦା ଉଠିଯାଇଛି

ଏପଟେ ମାୟାମୋହର ଜାଲ ତ

ସେପଟେ ତତଲା ନିଆଁ ଝୁଲ

ଦୁଆର ଖୋଜିବାରେ ବ୍ୟସ୍ତ ମଣିଷ ।

 

ସମସ୍ତେ ଶୂନ୍ୟରେ ପହଁରିବାରେ ବ୍ୟସ୍ତ

କେହି କାହାକୁ କୈଫିୟତ ଦେବାର ନାହିଁ

ଖାଲି ଝାଡ଼ିଝୁଡ଼ି ହେଇ

ନିଜେ ନିଜକୁ ପରିଷ୍କାର କରିବାରେ ତତ୍‌ପର ।

 

କାହାକୁ କାହା ଠିକଣା ଜଣାନାହିଁ

କିନ୍ତୁ ବେଳ ପଡ଼ିଲେ ସମସ୍ତଙ୍କୁ

ନିଜର କରିବାର ଚେଷ୍ଟାରେ ହିଁ

ଧୋକା ଦେଇହୁଏ ନିଜକୁ

ନା ପାଇହୁଏ ସମୁଦ୍ରକୁ

ନା ଜାଣିହୁଏ ତାର ଅସୀମତାକୁ ।

 

ଅନେକ କଷ୍ଟ ପରେ ସତ୍ୟକୁ ସାମ୍‌ନା କରିହୁଏ

ତା'ପରେ ସହଜରେ ଆଡ଼େଇ ହୋଇଯାଏ ଭୁଲକୁ

ହେଲେ ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାକୁ ହିଁ ପଡ଼ିବ ।

 

ହେଲେ ସେଇ ଦିନର ସେଇ ସମୟଟି ଯେ

ସଫଳ ହେବ

ସବୁ ସତକୁ ବିଶ୍ଵାସ କରିହେବ

ଏକଥା କିଏ କହିବ ?

କିଏ ବା ଉତ୍ତର ଦେବ ?

 

ସବୁକଥାକୁ ସେମିତି ହିଁ ଗ୍ରହଣ କରିବାକୁ ପଡ଼ିବ

ଯିଏ ଯେତେବେଳେ ଯେଉଁ ରୂପରେ ଆସିବେ

ଛାଇପରି ସେଇମାନଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ

ସବୁ ସମ୍ଭାବନାକୁ

ସବୁ ଅନ୍ଵେଷଣକୁ

ସବୁ ମାପଚୁପକୁ

ପଛରେ ପାଇକି ଅତିକ୍ରମ କରିବାକୁ ପଡ଼ିବ

ଆଗରେ ଧାଉଁଥବା ଦୁର୍ଲଂଘ୍ୟ ବାଟକୁ ॥

Image

 

ମାଗିନେବା ପରେ

 

ଥର ଥର କରି ସାତଥର

କ୍ଷମା ମାଗିନେବା ପରେ

କରିଥିବା ନ କରିଥିବା

ସବୁ ଭୁଲର

ଆଉ କ’ଣ ରହିଯାଏ

ବୁଝିବାକୁ

କଣ୍ଟା କେତେ ଗହୀରିରେ ଅଟକିଛି ତଣ୍ଟିର

କୋଉ ଅର୍ଥ ସାଇତି ରଖିଛି ବୁଢ଼ିଆଣୀ

ତା ଗୁମାନ ଭରା ଜାଲର !

 

ସଜାଡ଼ିବାର ଥିଲା ଯାହା

ବାଲିମୁଠାଏ ନେଇ

ଗୁଣ୍ଡୁଚିମୂଷା ହାତରୁ

ସିଏ ଆଉ ସମ୍ଭବ ନୁହେଁ

ଅପେକ୍ଷା ମାନେ ହିଁ ଅବିଶ୍ୱାସ

ବିଶ୍ଵାସ ତୁଟିଯାଏ ସେଇଠି

ଅପେକ୍ଷାର ପ୍ରଥମ ମୁହୂର୍ତ୍ତ

ଆରମ୍ଭ ହୁଏ ଯୋଉଠୁ ।

 

ଅଟକେଇ ରଖିବାର ସାହସ

ଯେତେବେଳ ଯାଏଁ ଅଛି ଆଖିର

ସମୁଦ୍ରକୁ

ସେତେବେଳ ଯାଏଁ

ସାତଖୁଣ ମାଫ୍

ଅପେକ୍ଷା

ଗୋଟେ ଈପ୍‌ସିତ ଅଧ୍ୟାୟ

ନାଇଁ ତ ସବୁଶେଷ

ପ୍ରତ୍ୟେକ ଅକ୍ଷର ଅବାଞ୍ଛିତ

କ୍ଷମା ନଥାଏ କୌଣସି ଭୁଲର

ବଂଚିପାରିବାର ଅହଂକାର

ହୋଇଯାଇଥାଏ ଅଲୋଡ଼ା, ଅସାର ॥

Image

 

ସବୁରି ଉତ୍ତର ପାଇଁ

 

ଯୋଉ କଥାରେ ଅଭିମାନ କରିବା କଥା

କରିପାରିନି ବୋଲି ତ

ଛୋଟ ଛୋଟ କଥାରେ

ଏତେ ରୁଷା

ଆଖିରେ କୋଉକାଳରୁ ତାରା ପରି

ବସିପାରିନି ବୋଲି ତ

କଣ୍ଟା ହୋଇ ଅଟକିବାର ନିଶା

କହିଦେବା ଅପେକ୍ଷା ।

 

ନ କହିପାରିବାର ଯନ୍ତ୍ରଣା

ନିଆରା

କହିପାରୁଥିଲେ

କୁହା ସରନ୍ତାଣି

କୋଉ ମାଟି କେତେ ନିଜର କେତେ ପର

ଖୁସି ହେବାର ସଉକ

କାହାର ନାହିଁ ଯେ ପଚାରିବ

ସବୁରି ଉତ୍ତର ପାଇଁ, ମୁକ୍ତି ପାଇଁ

ଆଉ ଗୋଟିଏ ଜନ୍ମ ଦରକାର

ଦରକାର ଆଉ ଏକ ଅବୟବ

ସବୁ କହିବା ଆଉ

ସବୁ ଉଘେଇ ପାରିବା ପାଇଁ ବି ॥

Image

 

କଥା ରହିଯିବ

 

ଖୁଣୁଖୁଣ୍ଟୁରା ହେଇ ଅନେକ କଥା ରହିଯାଏ

ମନରେ ମନୟେ ପ୍ରତ୍ୟୟ

ଆମ ଭିତରର କଥାବାର୍ତ୍ତା

ଏମିତି ଏମିତି ଆହୁରି କେତେ କ'ଣ

ଜଣାଥାଏନା କେମିତି ପଥର ହେଇଯାଏ ମନ

ଜଣାଥାଏ ନା କେତେବେଳେ

ଛାଇଛାଇଆ ନିଦରେ ବାଦ୍‌ ପଡ଼ିଯାଏ ସଂପର୍କ

ହେଇ, ଏଇନାକେ

ଭାଂଗିବ ଭାଂଗିବ ହଉଛି ବନ୍ଧ

ଆଖିର, ଆସ୍ଥାର

ସମୁଦ୍ରର

ଉଡ଼ିବ ଉଡ଼ିବ ହଉଛି

ପର ଝାଡ଼ିଦେବା ପରେ ଗେଣ୍ଡାଳିଆ

ପ୍ରତି ଉପକ୍ରମରେ ଉଡ଼ିବାର

ପରଟିଏ ଝଡ଼ିଯାଏ

ହାତରେ ମୁଠାଏ ମାଟିର ସ୍ପର୍ଶ ଲଗେଇ

ହଜିଯାଏ ସେ ତା’ ଉଡ଼ାଣରେ

ଭଂଗା କଲମ ଠୁ

ଭଂଗା ଖେଳନା ଯାଏ

ସବୁକୁ ସାଇତି ରଖିବାର ଲୋଭ

ସଜାଡ଼ି ପାରେନା କିଛି

ଅଭାବ ରହିଯାଏ ସେ ଭିତରେ

ଯାହା ଭାବ ବୋଲି

ସାଇତା ଥାଏ ସଂତର୍ପଣରେ

ପାର୍ଥିବ ଅପାର୍ଥିବ

ପ୍ରଶ୍ନ ପରି ପ୍ରତୀତ ହେଲେ ହେଁ

ସେଇ ଚିହ୍ନରେ ସରିବା

ନିୟତ ହେଇଯାଇଥାଏ ଯେମିତି

ବୁଝିବାକୁ ବାକି ରହିଯାଇଥିଲେ ସୁଦ୍ଧା

ଆଉ ଧୈର୍ଯ୍ୟ ଥାଏଖନା

ପାର୍ଥିବ ଅପାର୍ଥିବ

ଅଣକଥନୀୟ କଥାର

ବାଧ୍ୟବାଧ୍ୟକତାରେ

ଶେଷକୁ ଶେଷ ହେବାକୁ ପଡୁଥାଏ

ସବୁ ପ୍ରଶ୍ନର ॥

Image

 

ବଦଳିଯିବା

 

ଧୀରେ ଧୀରେ

ବଦଳିବାଟା ଭାଗ୍ୟ ହେଇଯାଏ

ମୋର,

ମୋ ପୃଥିବୀର, ଆମ ସମସ୍ତଙ୍କର ।

 

ବର୍ଷାବେଳେ ବର୍ଷା ନଥାଏ କି

ଖରାବେଳେ ଖରା

ପଶୁପକ୍ଷୀ କି ସାମନ୍ୟ ଲତାଟିଏର

ସାହସ କୁଳାଏନି

ଚାଖଣ୍ଡେ ବଢ଼ିବାକୁ

କେବଳ ଯାହା

ଭରସା ଦବାକୁ ହୁଏ

ଅଛି ଅଛି

ସବୁ ସାଇତା ଅଛି

ଗୁପ୍ତରେ ।

 

କଥା ସରିଯାଉଥାଏ

ଗପ ପେଡ଼ିରୁ ଜେଜେମା’ର

ଲୁହ ଧାର

ଅଭିମାନରୁ ମୋର

ଅଙ୍ଗେନିଭା ଦୁଃଖ ବିନା

ପହଂଚି ହୁଏନି ସେଇଠି

ଠକୁରାଣୀ ବେଢ଼ା ପାଖ ମାଟି ଘୋଡ଼ାର

ଅଦରକାରୀ ଅବକ୍ଷୟ ପାଖରେ

ଯେତେବଡ଼ ଗଛର ମେରୁଦଣ୍ଡ ହେଉନା କାହିଁକି

ଉଇର ଆସ୍ପର୍ଦ୍ଧା ଆଗରେ

ବାଧ୍ୟହବାକୁ ହୁଏ

ବଦଳିଯିବାକୁ ମାଟିରେ ।

 

କଥା ସରିଯାଉଛି, କଥା

ଗପପେଡ଼ିରୁ ଜେଜେମା’ର

କଲୁରୀବେଣ୍ଟ ବୁଢ଼ୀ

ଅଦୃଶ୍ୟ ହେଇଯାଉଛି

ଅଦୃଶ୍ୟ ହେଇଯାଉଛି

ବୁଢ଼ୀ ଅସୁରୁଣୀର ନିଆଁ

ବଦଳିବାର ଭାଗ୍ୟ ଭିତରେ

ଆମ ସମସ୍ତଙ୍କର ॥

Image

 

ମିଛସତ

 

ମିଛକୁ ସତ କରି କହିବାର

ଅଭ୍ୟାସ ମୋର ନାହିଁ

ମୁଁ ଜାଣିନି

ସତର କି ମିଛର

ସଜ୍ଞା କ’ଣ ?

 

ହୋଇପାରେ

ମତେ କଷ୍ଟ ଦେଉଥିବା ସବୁ କଥା ସତ

ଆଉ ତମେ ଲୁଚଉଥିବା ସବୁ ସତ ମିଛ

ସବୁ ସତ ସତ କହିଦେବି ବୋଲି

ଡେଙ୍ଗୁରା ପିଟି

ଯାହା କହିଲି

କିଛି ବି ନଥିଲା ସେଥିରେ

ଶେଷକୁ

ମୁଁ ଯୋଉ ଏକୁଟିଆକୁ ସେଇ ଏକୁଟିଆ

କିଏ କେବେ ସତକୁ ସତ

ବିଛେଇ ପାରିଲାଣି ନିଜକୁ

ନିଜ ନିଜର ମନ ମୁତାବକ ?

 

ହୋଇପାରେ

ମୁଁ ଯାହା ଚାହିଁଛି ତା ପାଇନି

ଯାହା ପାଇଛି

ଚାହିଁଛି ତା’ଠାରୁ ଅଧିକ

ହୋଇପାରେ ଯାହା ଯାହା ଠିକ୍‌ ବୋଲି ଭାବିଛି

ସେ ସବୁ ଭୁଲ

ଆଉ ସବୁ ମିଛ ପାଖରେ

ଦାଢ଼େଇ ହେଇ ଠିଆ ହୋଇଥିବା ଛାଇଟି

ସତ ଆଡ଼କୁ ବାଟ କଢ଼ଉଥିବା ହାତଟିଏ

ସବୁ ସନ୍ଦେହ ର

ଉତ୍ତରଟିଏ ଯେମିତି ॥

Image

 

ବୁଦ୍ଧ

(୧)

 

କେତେ ମାୟା ଚାପିପାରିଲେ ମଣିଷ

ନିର୍ଲିପ୍ତ ହୋଇପାରିବ

ତା’ ହିସାବ ତ ଦେଇଯାଇନ ଭିକ୍ଷୁ ।

 

ଗୋଡ଼ରେ ଗୋଡ଼ି ଖେଳିଖେଳିକା

କଟେଇ ଦେଇହୁଏ ରାସ୍ତାକୁ ନିଶ୍ଚୟ

ଉପେକ୍ଷା କରିହୁଏ ମୁହୂର୍ତ୍ତକୁ

ନିର୍ମୋହ ଜୀବନଟେ ପାଇଁ

କିଛି ଅନୁଭବୀ ଧେୟ ରଖିଯାଇନ ତ !

 

ତମ ଅଷ୍ଟାଂଗ ମାର୍ଗ କଥା

ମିଛ ନୁହେଁ କି ?

ଏକାବେଳେକେ ଜଣେ

ଆଠଆଠୁଟା ମାର୍ଗରେ ଚାଲିବ କେମିତି ?

 

ତମେ ଦୁଃଖ ସହିଛ

ଅନନ୍ତ ଠୁ ଅଧିକ

ସମୁଦ୍ର ଠୁ ଗହୀର

ଓ ରହସ୍ୟମୟ

ମାର୍ଗଫାର୍ଗ କଥା କିଛି ନୂହେଁ

ଦୁଃଖ ଜାଳାରେ

କାମନା ବୋଲି କିଛି ରହିଯାଏନା

ତମେ କ’ଣ ମୁଁ କ’ଣ

କେହି ହେଲେ ବି

ବୁଦ୍ଧ ବୋଲାଇବା

ସହଜ ନୁହେଁ କି ?

Image

 

ବୁଦ୍ଧ

(୨)

 

ତୁଷିତ ସ୍ୱର୍ଗରୁ ପୃଥବୀର ମୋହ

କେତେଦିନର

କେତେଦିନର ସେ ଅପେକ୍ଷା ଭିକ୍ଷୁ !

କି ଅର୍ଥ ।

କାଳଦେବଳଙ୍କ ଲୁହର ବୋଧିସତ୍ତ୍ୱ

କି ଅର୍ଥ

ଦେବଦାହ କି କପିଳବାସ୍ତୁ ନୁହେଁ

ଜନ୍ମନେବା ଲୁମ୍ବିନୀ କୋଳରେ

କି ଭ୍ରମରେ ରାଜା ଶୁଦ୍ଧୋବନ !

 

ଦୁନିଆଯାକର ମଣିଷ ପାଇଁ

ବାଟକଢ଼େଇବାର ଲୋଭରେ

ଡେଇଁ ପଡ଼ିଥିଲ ନା !

ଚାଲିଆସିଥିଲ ନା

ସବୁକିଛି ହାତପାଆନ୍ତାରେ

ମିଳିଯାଉଥିବାର ଇଲାକାରୁ

ନାଁ ଯଶରେ

ଅମର ହେଇପାରୁଥିବା ମର୍ତ୍ତ୍ୟକୁ

ଭୋଗିବାକୁ ସେ ସବୁକୁ

ଯାହା ସହିପାରୁନଥିବ

ତମ ରାଜପୁତ୍ରର ମନ ॥

Image

 

ବୁଦ୍ଧ

(୩)

 

ଦେହକୁ ନେଇ ରୋଗ ଶୋକ

ଦେହକୁ ନେଇ ବୟସ୍କ ହୁଏ ଦେହ

ବୟସ ସହ ପାଦ ପକେଇ

ଆକ୍ରାନ୍ତ କରେ ମୃତ୍ୟୁ

ଦେହ ମିଛ

ମିଛ ବୟସ, ମୃତ୍ୟୁ ଆଉ ରୋଗ

ମିଛ ପଛକୁ ଲାଗି କି ଠିଆ ହେଇଥାଏ ସତ

ସତକୁ ଦେଖି ଆଡ଼େଇ ଦେଇ

ପୁଣି ତାକୁ ଖୋଜିବାର

ମାନେ କ’ଣ ଥାଏ ଭିକ୍ଷୁ ?

 

ତୁଷିତ ସ୍ଵର୍ଗ ସୁଖ ନୁହେଁ

ସୁଖ ନୁହେଁ ରୋଗ ଶୋକ ମୃତ୍ୟୁର ଏ ଦେହ

କାମନା ବି ସୁଖ ନୁହେଁ

ଦୁଃଖ ବି ନୁହେଁ

ସୁଖର ବିନାଶରେ ସୁଖ ଅଛି ବୋଧହୁଏ ।

 

ତେବେ

କେତେ ଦୁଃଖର ନିର୍ବାପନରେ

ନିଃଶେଷ କାମନାର କେଉଁ ସୀମାରେ

ସୁଖର ନିଶ୍ଚିତ ଉପସ୍ଥିତି

ସେ ସିଦ୍ଧ ଉପପାଦ୍ୟ ତ

ଦେଇଯାଇନ ଭିକ୍ଷୁ !

 

ମୃତ୍ୟୁ ଯଦି ନିଚ୍ଛକ ସତ ହୁଏ

ସାଦା ସତରେ କ’ଣ ନିର୍ବାଣ ମିଳେନି ?

ମଣିଷ ମାତ୍ରେ ହିଁ ମାୟା

ଜୀବନ ମାତ୍ରେ ହିଁ ଭ୍ରାନ୍ତି

ପ୍ରକୃତିର ବିପରୀତ ଗତିର

ନିଃଶ୍ୱାସ ସବୁକୁ

ପ୍ରବଞ୍ଚନାର ଜୀବନ ପାଇଁ

ଆଞ୍ଜୁଳା ଆଞ୍ଜୁଳା ସମର୍ପି ଦେବା

ଅପ୍ରାଧ ନୁହେଁ ତ ଆଉ କ’ଣ ?

Image

 

ବୁଦ୍ଧ

(୪)

 

ଗୋଟିଏ ଅବସ୍ଥାରେ ଅନେକ ଦିନ

ଭିନ୍ନ ଏକ ଦିଗ ପାଇଁ

ବାଟ କଢ଼ାଏନି କି - ସିଦ୍ଧାର୍ଥ !

 

ଐଶ୍ଵର୍ଯ୍ୟର ପ୍ରାବଲ୍ୟ

ସୁଖର ଅତିଚାର

ନିର୍ବାଣ ପ୍ରାପ୍ତିର ଅନ୍ୟ ଏକ କାରଣ

ନୁହେଁ କି !

 

ତମେ ଗୋଟିଏ ଦିନରେ

ସାଉଁଟି ପାରୁଥିଲ

ରାଜ୍ୟକ ଯାକର ସୁଖ ।

 

ତମ ଆଖି ପାଇଁ

ଉଢୁଆଳରେ ରହିଯାଉଥିଲେ

ରାଜ୍ୟକଯାକ ବୃଦ୍ଧ ।

 

ତମ ମନ ଆଉ ହୃଦୟରେ

ଝଡ଼ଟିଏ ନ ଉଠିବା ପାଇଁ

ଉପେକ୍ଷାର ଅନ୍ଧାରରେ

ସଢ଼ିବାରେ ଲାଗିପଡ଼ିଥାଆନ୍ତି

ଅସଂଖ୍ୟ ଦୁଃଖ ।

 

ଜୁ’ ନଥାଏ ତାଙ୍କର ସବୁ ବର୍ଷମାନଙ୍କର

ପହଁରି ଆସିବାକୁ

ରାଜପୁତ୍ରଙ୍କ ଓଜର ଆପତ୍ତିର

ଦ୍ଵାରଦେଶକୁ ।

 

ଗୋଟିଏ ଅବସ୍ଥାରେ ଅନେକ ଦିନ

ରୋଗୀ ଦରକାର କରୁଥାଏ । ସୁସ୍ଥତା ।

ବୃଦ୍ଧ । ମୁକ୍ତି । ତା’ ଅବସ୍ଥାରୁ ।

ଆଉ ରାଜପୁତ୍ର

ଆବଶ୍ୟକ କରୁଥାଏ

କେବେ ତା’ ଅନୁଭବରେ ନ ଥିବା

ବୈରାଗ୍ୟକୁ ॥

Image

 

ବୁଦ୍ଧ

(୫)

 

ତମେ

ରାଜପୁତ୍ର ବୋଲି ତ

ତମ ନାଁ ଗାଁ ଠିକଣା ଅଛି

ଇତିହାସରେ ।

 

ସେ ବୁଦ୍ଧର ଠିକଣା ଲେଖିଛ

ତମ ଜ୍ଞାନ ଗାରିମାର ଦାଢ଼ରେ

ତମ ସତ୍ୟ ଧର୍ମର ବେଦାଗ ଫର୍ଦ୍ଦରେ ?

ଯାହା ଜୀବନ

ଖଜୁରୀ ଗଛ ଦେହର

ଏଠା ସେଠା ହଣା ଦାଗ ପରି ଅଷ୍ଟବକ୍ର ।

ଯାହାକୁ ଦେଖି

ପୟର ତୁମର ବଢ଼ିଆସିଥିଲା

ଅପାର୍ଥିବତାର ପ୍ରଥମ ପାହାଚକୁ ।

 

ତମେ କ’ଣ ନ କରିଛ

ଘୋଡ଼ା ଚଢ଼ିବାଠୁ ଖଣ୍ଡାଯୁଦ୍ଧ ଯାଏଁ

ଦାସଦାସୀଙ୍କ ସେବାପୂଜା ଠୁ

ସ୍ଵୟମ୍ବର ଯାଏଁ ।

 

ସବୁ ସୁଖ ଭିତରେ

ନିଜକୁ ସାରି ସାରିଲା ପରେ

ଖୋଜିଛି ଦୁଃଖକୁ

ଇଏତ ସ୍ୱାଭାବିକ

ସ୍ଵାଭାବିକ ତମ ବୈରାଗ୍ୟ, ତମ ଜିଜ୍ଞାସା ନୁହେଁ କି ?

Image

 

ବୁଦ୍ଧ

(୬)

 

ମୋର ପ୍ରଥମ ଲକ୍ଷ୍ୟ ଥିଲା ଈଶ୍ଵର

ପଥରକୁ ଜୀବନ ଦେଲି

ରୂପ ଦେଲି ଭକ୍ତିକୁ ଭାବକୁ ଯେ

ତମେ ମନା କଲ ।

 

ଦ୍ୱିତୀୟ ଥିଲା ଆଲୋକ

ତୃତୀୟ ମୁକ୍ତି ଚତୁର୍ଥ ପ୍ରଶାନ୍ତି

ମନକୁ ନେଇ ଆଧାର କଲାବେଳେ

ବାରଣ ଭରିଲ

ଦେହକୁ ନାନା କର୍ମ କଷଣରେ

ଘସି ମାଜି ସୁନ୍ଦର କରିବାର

ଦକ ଦେଲ ।

 

ଯଦି ମନର ମନ ନ ଥାଏ

ମନ ସୁନ୍ଦର ହୁଏ କି

ଦେହକୁ ଯେତେ କଷ୍ଟ ଦେଲେ, ବୋଧିସତ୍ତ୍ୱ ?

Image

 

ବୁଦ୍ଧ

(୭)

 

ହାତମୁଠାରୁ କାଳେ ସବୁ ଖସିଯାଏ

ନିୟତ, ପେନ୍ଥା ପେନ୍ଥା ସୌଭାଗ୍ୟ

ସାଇତି ଥିବା ଘରଟେ ଦେଖିଥିବା

ଖୋଲା ଆଖିରେ ଦେଖିଥିବା

ସତ ପରି ସ୍ଵପ୍ନ

ସବୁ ଉଜୁଡ଼ିଯାଏ

ସବୁ ଉଜୁଡ଼ିଯାଏ ସିଦ୍ଧାର୍ଥ ।

 

ଝଡ଼ଟେ ଫେରିଗଲା ପରେ

ଅସ୍ତବ୍ୟସ୍ତ ସଂସାରକୁ

କେମିତି ସଜାଡ଼ିବାକୁ ହୁଏ

ଶିଖିବାକୁ ପଡ଼େ ପୃଥିବୀଠୁ ।

 

ବର୍ଷା ନଥିବା ବେଳେ

ପବନରେ କେମିତି

ହସିବାକୁ ହୁଏ

ଶିଖିବାକୁ ପଡ଼େ ଗଛଠାରୁ ।

 

ଏମାନଙ୍କର ହାତ ନାହିଁ

ହାତ ଥିଲେ ସିନା

ମୁଠେଇ ନେବାର ଅବକାଶ ଥାଏ ।

 

ଅହଂକାର ନାହିଁ

ଥିଲେ

ଝଡ଼ ପାଖରେ ଝଡ଼ଟେ

ଖରା ପାଖରେ

ଅଣନିଃଶ୍ଵାସୀ ପରିସ୍ଥିତିଟିଏ

ଠିଆ କରେଇ ଦେବାର ଇଚ୍ଛାଥାଏ ।

 

ତେଣିକି

ଚିନ୍ତା ପୁଣି ଉଜୁଡ଼ିଯିବାର

ଏମାନଙ୍କ ପାଖରେ କାହିଁ ?

 

ସେଇଥିପାଇଁ ତ ଭାବୁଛି

ଏବେ

ହାତ ଖୋଲି ଦେବାର ସମୟ ।

 

ତେଣିକି ତମ ଧମ୍ମପଦର

ହାତ ଧରି ଚାଲିବା

କି ଦରକାର ସିଦ୍ଧାର୍ଥ

କି ଦରକାର

ଜୀବନ ଯଦି ଜୀଇଁ ହେଇଯାଏ - ଏଇଥିରୁ !

Image